ନୂଆଦିଲ୍ଲୀ,୨୧।୯: ଭାରତର ଦ୍ରୁତ ଅଭିବୃଦ୍ଧି ସହ ବର୍ତ୍ତମାନ ବିଭିନ୍ନ କ୍ଷେତ୍ରରେ ଅଗ୍ରଣୀ ହୋଇଥିବାବେଳେ ଦେଶର ପ୍ରାୟ ୪୨% ଯୁବ ଗ୍ରାଜୁଏଟ ବେରୋଜଗାର ରହିଥିବା ଅଜିମ୍ ପ୍ରେମ୍ଜୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି। କୋଭିଡ୍ ପରବର୍ତ୍ତୀ ସ୍ଥିତିରେ ଦେଶରେ ବେକାରି ହାର କୋଭିଡ୍ ପୂର୍ବବର୍ତ୍ତୀ ସ୍ଥିତି ଅପେକ୍ଷା କମ୍ ରହିଛି। କିନ୍ତୁ କୋଭିଡ୍ ପରବର୍ତ୍ତୀ ସ୍ଥିତିରେ ୪୨% ଯୁବ ଗ୍ରାଜୁଏଟ୍ କାମ ନ ପାଇ ବେରୋଜଗାର ରହିଛନ୍ତି। ୧୯୮୦ ପରେ ଦିନ ମଜୁରିଆ ଓ ମାସିକ ଦରମା ସୂତ୍ରରେ କାମ କରୁଥିବା ଶ୍ରମିକଙ୍କ ସଂଖ୍ୟା ବୃଦ୍ଧି ଘଟିଥିଲା। ୨୦୦୪ ବେଳକୁ ପୁରୁଷ ଶ୍ରମିକଙ୍କ ସଂଖ୍ୟା ୧୮ରୁ ୨୫% ଓ ମହିଳାଙ୍କ ସଂଖ୍ୟା ୧୦ ରୁ ୨୫%କୁ ବୃଦ୍ଧି ଘଟିଥିଲା। ୨୦୦୪ରୁ ୨୦୦୭ ମଧ୍ୟରେ ବାର୍ଷିକ ୩ ନିୟୁତ ଲୋକ କର୍ମନିଯୁ୍କ୍ତି ପାଇଥିଲେ।
ଏହା ୨୦୧୭ରୁ ୨୦୧୯ ମଧ୍ୟରେ ୫ ନିୟୁତକୁ ବୃଦ୍ଧି ଘଟିଥିଲା। ତେବେ କୋଭିଡ୍ ମହାମାରୀ କାରଣରୁ ୨୦୧୯ରୁ ଦିନ ମଜୁରିଆମାନେ କାମ ହରାଇ ବସିଥିଲେ। ଅର୍ଥନୈତିକ ଅଭିବୃଦ୍ଧି ଓ କର୍ମନିଯୁକ୍ତି ସୃଷ୍ଟି କରିବା ମଧ୍ୟରେ ଥିବା ଗୁରୁତ୍ୱ ବିଷୟରେ ଏହି ରିପୋର୍ଟରେ କୁହାଯାଇଛି। ୧୯୯୦ରୁ ଅଣକୃଷି ଜିଡିପି ଓ ଅଣକୃଷି ନିଯୁକ୍ତି କ୍ଷେତ୍ରରେ ଅଭିବୃଦ୍ଧି ଘଟି ନ ଥିବା ଏହି ରିପୋର୍ଟରେ କୁହାଯାଇଛି।
ଅପରପକ୍ଷେ ୨୦୦୪ରୁ ୨୦୧୯ ମଧ୍ୟରେ ନିଯୁକ୍ତି କ୍ଷେତ୍ରରେ ହ୍ରାସ ଘଟିଥିଲା। ୨୦୧୭ରୁ ନିଯୁ୍କ୍ତି କ୍ଷେତ୍ରରେ ଲିଙ୍ଗଗତ ଅସମାନତା ବ୍ୟବଧାନ ବଢ଼ିଥିଲା। ୨୦୦୪ରେ ମହିଳାମାନେ ପୁରୁଷମାନଙ୍କ ଆୟର ୭୦% ରୋଜଗାର କରୁଥିଲେ। ଏହା ୨୦୧୭ ବେଳକୁ ହ୍ରାସ ଘଟିଥିଲା ବୋଲି ରିପୋର୍ଟରେ କୁହାଯାଇଛି। କୋଭିଡ୍ ପରେ ୬୦% ମହିଳା ଆତ୍ମନିଯୁକ୍ତି ପାଇଥିଲେ, ଏହା କୋଭିଡ୍ ପୂର୍ବରୁ ୫୦% ଥିଲା।