Categories: ଜାତୀୟ

ଦିଲ୍ଲୀରେ ଦ୍ୱିତୀୟ ଲହର ନେଲାଣି ୧୦୦ ଡାକ୍ତରଙ୍କ ଜୀବନ

ନୂଆଦିଲ୍ଲୀ,୨୨।୫: କରୋନାର ଦ୍ୱିତୀୟ ଲହର ସାରା ଦେଶରେ ଜାରି ରହିଛି । ହେଲେ ସଂକ୍ରମଣ ବିରୋଧରେ ଲଢୁଥିବା ଡାକ୍ତରଙ୍କ ଜୀବନ ବର୍ତ୍ତମାନ ଗୁରୁତ୍ୱପୂର୍ଣ୍ଣ ହୋଇଛି। ଇଣ୍ଡିଆନ ମେଡିକାଲ ଆସୋସିଏଶନ(ଆଇଏମ୍‌ଏ) ପକ୍ଷରୁ ଶନିବାର ଦିଆଯାଇଥିବା ସୂଚନା ଦେଶବାସୀଙ୍କ ଚିନ୍ତା ବଢାଇ ଦେଇଛି। କରୋନା ସଂକ୍ରମଣର ଦ୍ୱିତୀୟ ଲହର ଦେଶର ୪୨୦ ଡାକ୍ତରଙ୍କ ଜୀବନ ନେଇସାରିଛି। ସର୍ବାଧିକ ଦିଲ୍ଲୀରେ ୧୦୦ ଡାକ୍ତରଙ୍କ ମୃତ୍ୟୁ ଘଟିଥିବା ଆଇଏମ୍‌ଏ ପକ୍ଷରୁ କୁହାଯାଇଛି।

ସେହିପରି ବିହାରରେ ୯୬ଜଣ ଡାକ୍ତରଙ୍କ ମୃତ୍ୟୁ ଘଟିଥିବା ବେଳେ ଉତ୍ତର ପ୍ରଦେଶରେ ୪୧, ଆନ୍ଧ୍ରପ୍ରଦେଶରେ ୨୬, ଆସାମରେ ୩, ଗୁଜୁରାଟରେ ୩୧, ଗୋଆରେ ୨,ହରିଆଣାରେ ୨, ମହାରାଷ୍ଟ୍ରରେ ୧୫, ମଧ୍ୟପ୍ରଦେଶରେ ୧୩ ଡାକ୍ତରଙ୍କ ମୃତ୍ୟୁ ଘଟିଛି। ପଞ୍ଜାବ ଏବଂ ପୁଡୁଚେରୀରେ ଜଣେ ଲେଖାଏଁ ଡାକ୍ତରଙ୍କ ମୃତ୍ୟୁ ହୋଇଥିବା ସୂଚନା ଦିଆଯାଇଛି।

ଅନ୍ୟପକ୍ଷେ କରୋନା ଟେଷ୍ଟିଂରେ ଆଗରେ ରହିଛି ଉତ୍ତରପ୍ରଦେଶ। ଗତ ୨୧ ଦିନ ମଧ୍ୟରେ ଉତ୍ତରପ୍ରଦେଶରେ ୪ କୋଟି ୬୫ ଲକ୍ଷ ଲୋକଙ୍କ କରୋନା ଟେଷ୍ଟିଂ କରାଯାଇଛି। ୧୮ ରୁ ୪୪ ବର୍ଷ ମଧ୍ୟରେ ୧୦ ଲକ୍ଷ ଲୋକଙ୍କୁ ଟିକା ଦିଆଯାଇଛି।

Share