Categories: ଜାତୀୟ

ପାଠପଢ଼ା ଛାଡ଼ିବେ ୪୩% ଦିବ୍ୟାଙ୍ଗ

ନୂଆଦିଲ୍ଲୀ,୧୯ା୭(ପି.ଟି.): କରୋନା ମହାମାରୀ ଯୋଗୁ ସାରା ବିଶ୍ୱରେ ଶିକ୍ଷାଦାନ ଗୁରୁତର ପ୍ରଭାବିତ ହୋଇଛି। ଭାରତରେ ମାର୍ଚ୍ଚ ମାସରୁ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ରହିଥିବାବେଳେ ଅନ୍‌ଲାଇନ ଶିକ୍ଷାଦାନ ବ୍ୟବସ୍ଥା ଆରମ୍ଭ ହୋଇଛି। ତେବେ ଏଥିରେ ସମସ୍ୟାର ସମ୍ମୁଖୀନ ହେଉଥିବା ଯୋଗୁ ୪୩ ପ୍ରତିଶତ ଦିବ୍ୟାଙ୍ଗ ଛାତ୍ରୀଛାତ୍ର ପାଠପଢ଼ାରେ ଡୋରି ବାନ୍ଧିବାକୁ ଯୋଜନା କରିଥିବା କହିଛନ୍ତି। ସ୍ବାଭିମାନ ନାମକ ଏକ ସଂଗଠନ ପକ୍ଷରୁ କରାଯାଇଥିବା ସର୍ଭେରୁ ଏହି ତଥ୍ୟ ପଦାକୁ ଆସିଛି। ଓଡ଼ିଶା, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ତ୍ରିପୁରା, ସିକ୍କିମ, ନାଗାଲାଣ୍ଡ, ହରିୟାଣା ଓ ଜମ୍ମୁ-କଶ୍ମୀରରେ ଗତ ମେ’ ମାସରେ ଉକ୍ତ ସଂସ୍ଥା ପକ୍ଷରୁ ସର୍ଭେ କରାଯାଇଥିଲା। ଏଥିରେ ଛାତ୍ରୀଛାତ୍ର, ଅଭିଭାବକ, ଶିକ୍ଷକଙ୍କ ସମେତ ୩,୬୨୭ ଜଣଙ୍କଠାରୁ ମତାମତ ସଂଗ୍ରହ କରାଯାଇଥିଲା।
ସର୍ଭେ ଅନୁଯାୟୀ, ନିୟମିତ ନ ହେଲେ ମଧ୍ୟ ଅନ୍‌ଲାଇନ କ୍ଲାସ୍‌ରେ ଯୋଗଦେବା ପାଇଁ ୫୬.୫ ପ୍ରତିଶତ ଦିବ୍ୟାଙ୍ଗ ଛାତ୍ରୀଛାତ୍ରୀ ସଂଘର୍ଷ କରୁଛନ୍ତି। ଅନ୍ୟ ପକ୍ଷରେ ୭୭ ପ୍ରତିଶତ ପିଲା ଦୂରଶିକ୍ଷା ପଦ୍ଧତିରେ ପଢ଼ିବାରେ ଅକ୍ଷମତା ଯୋଗୁ ପଛରେ ପଡ଼ିଯାଇଥିବା କହିଛନ୍ତି। ୫୬.୪୮ ପ୍ରତିଶତ ଦିବ୍ୟାଙ୍ଗ ଛାତ୍ରୀଛାତ୍ର ପାଠପଢ଼ା ଜାରି ରଖିଥିବାବେଳେ ଅବଶିଷ୍ଟ ୪୩.୫୨ ପ୍ରତିଶତ ପଢ଼ା ଛାଡ଼ିବାକୁ ଯୋଜନା କରୁଥିବା କହିଛନ୍ତି। ପାଠ ବୁଝିପାରୁ ନ ଥିବା ୩୯ ପ୍ରତିଶତ ଦୃଷ୍ଟିବାଧିତ ପିଲା କହିଛନ୍ତି। ଓ୍ବେବିନାରରେ ସାଙ୍କେତିକ ଭାଷାରେ ବୁଝାଇବା ପାଇଁ କୌଣସି ବ୍ୟବସ୍ଥା ନ ଥିବା ୪୪ ପ୍ରତିଶତ ଅଭିଯୋଗ କରିଛନ୍ତି। ସେହିପରି ପ୍ରଯୁକ୍ତିର ବ୍ୟବହାର ଜାଣି ନ ଥିବା ୮୬ ପ୍ରତିଶତ ଭିନ୍ନକ୍ଷମ ପିଲାଙ୍କ ମାଆବାପା କହିଥିବାବେଳେ ଆବଶ୍ୟକ ଶିକ୍ଷା ଉପକରଣ ନ ଥିବା ୮୧ ପ୍ରତିଶତ ଶିକ୍ଷକ ଜଣାଇଛନ୍ତି। ୬୪% ଦିବ୍ୟାଙ୍ଗ ପିଲାଙ୍କ ଘରେ ସ୍ମାର୍ଟଫୋନ୍‌ କିମ୍ବା କମ୍ପ୍ୟୁଟର ନାହିଁ। ଅନ୍‌ଲାଇନ ଶିକ୍ଷା ପାଇଁ ଟାବ୍‌ କିମ୍ବା କମ୍ପ୍ୟୁଟର ଆବଶ୍ୟକ କରନ୍ତି ବୋଲି ୬୭% ଛାତ୍ରୀଛାତ୍ର କହିଥିବା ସର୍ଭେରୁ ଜଣାପଡିଛି। ୭୪% ଦିବ୍ୟାଙ୍ଗ ପିଲା ପାଠପଢ଼ା ପାଇଁ ଡାଟା କିମ୍ବା ଓ୍ବାଇଫାଇ ଆବଶ୍ୟକ କରୁଥିବାବେଳେ ୬୧ ପ୍ରତିଶତ ସହାୟକ ଆବଶ୍ୟକ ବୋଲି କହିଛନ୍ତି। କରୋନା ମହାମାରୀ ବେଳେ ଶିକ୍ଷାଦାନକୁ ସ୍ବାଭାବିକ କରିବା ପାଇଁ ନୀତିରେ ପରିବର୍ତ୍ତନ ତଥା ପୁନରାବଲୋକନ କରିବା ପାଇଁ ସର୍ଭେ ରିପୋର୍ଟରେ ସୁପାରିସ୍‌ କରାଯାଇଛି। ସବୁବର୍ଗର ଭିନ୍ନକ୍ଷମ ପିଲାଙ୍କ ପାଇଁ ସହଜ ହେବା ଭଳି ପାଠ୍ୟକ୍ରମ ପ୍ରସ୍ତୁତ କରିବାକୁ ରିପୋର୍ଟରେ କୁହାଯାଇଛି। ସମସ୍ତେ ଯେପରି ଅନ୍‌ଲାଇନ ଶିକ୍ଷା ପାଇପାରିବେ ସେଥିପାଇଁ ହାର୍ଡଓ୍ବେର ଓ ଡାଟା ଉପଲବ୍ଧ କରାଇବାକୁ ହେଲେ ନୀତିରେ ପରିବର୍ତ୍ତନ ଆବଶ୍ୟକ। ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ଲାଗି ପୁଞ୍ଜିବିନିଯୋଗ କରିବାକୁ ହେବ। ଅଭିଭାବକମାନେ ମଧ୍ୟ ପରିବର୍ତ୍ତିତ ପରିସ୍ଥିତିକୁ ଗ୍ରହଣ କରିନେବା ଜରୁରୀ, ଯାହା ଫଳରେ ସେମାନେ ଭିନ୍ନକ୍ଷମ ପିଲାଙ୍କୁ ପାଠପଢ଼ାରେ ସହାୟତା କରିବାରେ ସମର୍ଥ ହୋଇପାରିବେ ବୋଲି ସର୍ଭେ ରିପୋର୍ଟରେ କୁହାଯାଇଛି।

Share