୪୩ ହଜାର ଛାଡ଼ିଲେଣି ଘରୋଇ ସ୍କୁଲ

ଗୁଡ଼ଗାଓଁ: କରୋନା ମହାମାରୀ ସଂକ୍ରମଣ ଯୋଗୁ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛ। ଏପରିସ୍ଥଳେ ସମସ୍ତ ସ୍କୁଲ ବନ୍ଦ ରହିଛି। ତେବେ ପ୍ରାଇଭେଟ୍‌ ସ୍କୁଲରେ ପାଠ ପଢୁଥିବା ଛାତ୍ରୀଛାତ୍ରଙ୍କୁ ଲଗାତାର ଫି ଦେବାକୁ କୁହାଯାଉଛି। ଏଥିରେ ବ୍ୟସ୍ତ ବିବ୍ରତ ହୋଇ ଦିଲ୍ଲୀର ଗୁଡ଼ଗାଓଁର ୨,୪୫୩ ଛାତ୍ରୀଛାତ୍ର ସରକାରୀ ସ୍କୁଲରେ ନାମ ଲେଖାଇଛନ୍ତି। ଦେଶବ୍ୟାପୀ ବିଭିନ୍ନ ରାଜ୍ୟରେ ୪୩ ହଜାର ୨୯୩ ଛାତ୍ରୀଛାତ୍ର ପ୍ରାଇଭେଟ୍‌ ସ୍କୁଲ ଛାଡ଼ି ସରକାରୀ ସ୍କୁଲରେ ନାମ ଲେଖାଇଛନ୍ତି। ଏପ୍ରିଲ୍‌ରୁ ଜୁଲାଇ ମାସରେ ଏଭଳି ଘଟିଥିବା କୁହାଯାଉଛି। ହରିୟାଣାର ହିସାରରେ ସର୍ବାଧିକ ୩,୪୩୪ ଛାତ୍ରୀଛାତ୍ର ଏଭଳି କରିଛନ୍ତି। କରୋନା ମହାମାରୀ ସମୟରେ ପ୍ରାଇଭେଟ୍‌ ସ୍କୁଲର ଫି ଜମା କରିବା ତାଗିଦ୍‌ରେ ଅତିଷ୍ଠ ହୋଇ ଅଭିଭାବକମାନେ ଏଭଳି କରିଛନ୍ତି। ସରକାରୀ ସ୍କୁଲରେ ଅଷ୍ଟମ ପର୍ଯ୍ୟନ୍ତ କୌଣସି ଫି ଦେବାକୁ ପଡୁ ନ ଥିବାବେଳେ ମାଗଣାରେ ମଧ୍ୟାହ୍ନ ଭୋଜନ ମଧ୍ୟ ମିଳୁଛି। ଫଳରେ ଅଧିକ ଅଭିଭାବକ ସରକାରୀ ସ୍କୁଲ ପ୍ରତି ଆକର୍ଷିତ ହେଉଛନ୍ତି। ଫରିଦାବାଦରେ ୨୦୭୪, ରିଓ୍ବାଡିରେ ୨୧୨୨, ଝଞ୍ଜରରେ ୧୫୦୨, ନୁଁହରେ ୯୨୯, ପଲଓ୍ବଲରେ ୧୨୯୦ ଏବଂ ଚରଖି ଦାଦରିରେ ୫୪୬ ଜଣ ଛାତ୍ରୀଛାତ୍ର ପ୍ରାଇଭେଟ୍‌ ସ୍କୁଲ ଛାଡ଼ିଥିବା କୁହାଯାଉଛି।

Share