Categories: ଜାତୀୟ

୪୩,୪୦୯ ଜାଲ୍‌ ଡିଗ୍ରୀ

ଜୟପୁର,୧୩ା୭: ରାଜସ୍ଥାନର ଏକ ଘରୋଇ ବିଶ୍ୱବିଦ୍ୟାଳୟ ୨୦୧୩ରୁ ଅଦ୍ୟାବଧି ୪୩,୪୦୯ ପିଲାଙ୍କୁ ଜାଲ୍‌ ଡିଗ୍ରୀ ପ୍ରମାଣପତ୍ର ଜାରି କରିଛି। ଉକ୍ତ ୟୁନିଭର୍ସିଟି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ସ୍ବୀକୃତି ପାଇ ନ ଥିବାବେଳେ ଏତେ ପ୍ରମାଣପତ୍ର କିପରି ଜାରି କଲା ସେନେଇ ରାଜସ୍ଥାନ ପୋଲିସର ସ୍ପେଶାଲ ଅପରେଶନ୍‌ ଗ୍ରୁପ୍‌ (ଏସ୍‌ଓଜି) ତନାଘନା ଆରମ୍ଭ କରିଛି।
୨୦୧୩ରେ ରାଜସ୍ଥାନର ଚୁରୁରେ ଓମ୍‌ ପ୍ରକାଶ ଯୋଗେନ୍ଦର ସିଂ (ଓପିଜେଏସ୍‌) ୟୁନିଭର୍ସିଟି ପ୍ରତିଷ୍ଠା କରାଯାଇଥିଲା। ସେବେଠୁ ଏହି ୟୁନିଭର୍ସିଟି ପକ୍ଷରୁ ଛାତ୍ରୀଛାତ୍ରଙ୍କୁ ଡିଗ୍ରୀ ସାର୍ଟିଫିକେଟ୍‌ ପ୍ରଦାନ କରାଯାଇଆସୁଛି। ଗତ ଏପ୍ରିଲ ୮ରେ ୧,୩୦୦ ଆବେଦନକାରୀ ୨୦୨୨ ବର୍ଷ ପାଇଁ ଫିଜିକାଲ ଟ୍ରେନିଂ ଇନ୍‌ଷ୍ଟ୍ରକ୍ଟର (ପିଟିଆଇ) ପରୀକ୍ଷା ବେଳେ ଉକ୍ତ ୟୁନିଭର୍ସିଟିରୁ ଜାରି ଡିଗ୍ରୀ ପ୍ରମାଣପତ୍ର ଦାଖଲକରିବା ସମୟରେ ଏହି ଜାଲିଆତି ସାମ୍ନାକୁ ଆସିଥିଲା। ବିଶ୍ୱବିଦ୍ୟାଳୟରେ ୨୦୧୬ରେ ପିଟିଆଇ ପାଠ୍ୟକ୍ରମର ୧୦୦ ସିଟ୍‌ ପାଇଁ ଆକ୍ରେଡିଶନ୍‌ ମିଳିଥିଲା। ୨୦୨୦ ପୂର୍ବରୁ ନାମ ଲେଖାଇଥିବା ପିଲା ପିଟିଆଇ ୨୦୨୨ ପରୀକ୍ଷା ଦେବାକୁ ଯୋଗ୍ୟ ବୋଲି ନିୟମ ରହିଥିବାବେଳେ ବିଶ୍ୱବିଦ୍ୟାଳୟ ମନଇଚ୍ଛା ଡିଗ୍ରୀ ବାଣ୍ଟି ଚାଲିଥିଲା। ଏଥିପାଇଁ ୟୁନିଭର୍ସିଟି କ୍ଷମତାପ୍ରପ୍ତ ନୁହେଁ ବୋଲି ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି। ୟୁନିଭର୍ସିଟି ପ୍ରତିଷ୍ଠାତା ତଥା ମାଲିକ ଯୋଗିନ୍ଦର ସିଂ ଦଲାଲ ଡିଗ୍ରୀ ଦୁର୍ନୀତିରେ ଗିରଫ ହେବାର କିଛିଦିନ ପରେ ଏହି ବିଷୟ ସାମ୍ନାକୁ ଆସିଛି।
ସର୍ବଭାରତୀୟ ପ୍ରବେଶିକା ଏବଂ କଲେଜରେ ନାମଲେଖା ପାଇଁ ଉଦ୍ଦିଷ୍ଟ ପରୀକ୍ଷାଗୁଡ଼ିକରେ ପ୍ରଶ୍ନପତ୍ର ପ୍ରଘଟ ଓ ଦୁର୍ନୀତି ମାମଲାକୁ ନେଇ ଝଡ଼ ସୃଷ୍ଟି ହୋଇଥିତ୍ବା ତଦନ୍ତ ବେଳେ ଯୋଗିନ୍ଦର ଧରାପଡ଼ିଛନ୍ତି। ଭିଜା ଆପ୍ଲିକେଶନ୍‌ ପାଇଁ ସ୍ନାତକ ପ୍ରମାଣପତ୍ର ଆବଶ୍ୟକ କରୁଥିବା ଛାତ୍ରୀଛାତ୍ରଙ୍କୁ ସେ ବ୍ୟାକ୍‌ଡେଟ୍‌ରେ ଏସବୁ ସାର୍ଟିଫିକେଟ୍‌ ଦେଉଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏସ୍‌ଓଜି ଡିଆଇଜି ପାରିସ୍‌ ଦେଶମୁଖ କହିଛନ୍ତି, ଏହି ୟୁନିଭର୍ସିଟି ୨୦୧୩ରୁ ଅଦ୍ୟାବଧି ୭୦୮ ପି.ଏଚ୍‌ଡି, ୮,୮୬୧ ଇଞ୍ଜିନିୟରିଂ ଏବଂ ୧,୬୪୦ ଫିଜିକାଲ ଏଜୁକେଶନ୍‌ ଡିଗ୍ରୀ ବାଣ୍ଟିସାରିଲାଣି। ୪,୫୦୦ ଖାଲି ପିଟିଆଇ ପଦବୀ ପୂରଣ ପାଇଁ ହୋଇଥିବା ପରୀକ୍ଷା ବେଳେ ପିଲାମାନେ ଏହି ଜାଲ୍‌ ପ୍ରମାଣପତ୍ର ଦେଇଥିବା ପୋଲିସ ସନ୍ଦେହ କରୁଛି। ଉକ୍ତ ବିଶ୍ୱବିଦ୍ୟାଳୟରେ ୩୦ରୁ କମ୍‌ କର୍ମଚାରୀ ରହିଛନ୍ତି। ଏଭଳି ସୀମିତ ସଂଖ୍ୟକ କର୍ମଚାରୀଙ୍କୁ ନେଇ ବିଶ୍ୱବିଦ୍ୟାଳୟ ଚଳାଇବା ଅସମ୍ଭବ ବୋଲି ଦେଶମୁଖ କହିଛନ୍ତି।
୨୪ରେ ରାଜସ୍ଥାନ ଉଚ୍ଚଶିକ୍ଷା ବିଭାଗ ଉକ୍ତ ୟୁନିଭର୍ସିଟିର ସମସ୍ତ ପାଠ୍ୟକ୍ରମରେ ନାମଲେଖା ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲା। ଏହା ପୂର୍ବରୁ ଗତ ଡିସେମ୍ବରରେ ୟୁଜିସି ମଧ୍ୟ ଏହି ବିଶ୍ୱବିଦ୍ୟାଳୟର ସମସ୍ତ ପି.ଏଚ୍‌.ଡି. ପାଠ୍ୟକ୍ରମରେ ନାମଲେଖା ଉପରେ ନିଷେଧାଦେଶ ଜାରି କରିଥିଲେ।

Share