ଉତ୍କଟ ଖାଦ୍ୟ ସଙ୍କଟରେ ୪୪ ଲକ୍ଷ ନାଇଜେରୀୟ

ଜାତିସଂଘ, ୮।୮(ଆଇଏଏନ୍‌ଏସ୍‌): ଉତ୍ତରପୂର୍ବ ନାଇଜେରିଆରେ ଗୁରୁତର ଖାଦ୍ୟ ସଙ୍କଟ ସୃଷ୍ଟି ହୋଇଛି। ସେଠାର ୪୪ ଲକ୍ଷ ଲୋକ ଖାଦ୍ୟାଭାବର ସମ୍ମୁଖୀନ ହୋଇଥିବା ଜାତିସଂଘ ମୁଖପାତ୍ର ଫାର୍‌ହାନ ହକ୍‌ କହିଛନ୍ତି। ସେମାନଙ୍କ ମଧ୍ୟରୁ ୭.୭୫ ଲକ୍ଷ ଖାଦ୍ୟ ଅସୁରକ୍ଷାଜନିତ ବିପଦର ସମ୍ମୁଖୀନ ବୋଲି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ଙ୍କ ମୁଖପାତ୍ର ଜଣାଇଛନ୍ତି। ୪ ବର୍ଷ ମଧ୍ୟରେ ସେମାନେ ସବୁଠୁ ଖରାପ ସମୟ ଦେଇ ଗତି କରୁଛନ୍ତି। ଆତଙ୍କବାଦୀ ହିଂସା, କୋଭିଡ୍‌ ମହାମାରୀ ସାଙ୍ଗକୁ ଖାଦ୍ୟପଦାର୍ଥର ଅତ୍ୟଧିକ ଦର ବୃଦ୍ଧି ଏବଂ ଜଳବାୟୁ ପରିବର୍ତ୍ତନର ପ୍ରଭାବ ନାଇଜେରିଆରେ ପଡ଼ିଛି। ବୋର୍ନୋ, ଆଡାମାଓ୍ବା ଏବଂ ୟୋବେ ରାଜ୍ୟରେ ଲକ୍ଷ ଲକ୍ଷ ଲୋକ ମୁଠାଏ ଖାଦ୍ୟ ଯୋଗାଡ଼ କରିବା ଲାଗି ସଂଘର୍ଷ କରୁଥିବା ହକ୍‌ କହିଛନ୍ତି। ବର୍ଷାଭାବରୁ ଚଳିତ ବର୍ଷ କୃଷି ଉତ୍ପାଦନ ବାଧାପ୍ରାପ୍ତ ହୋଇଥିଲା। ସେପ୍ଟେମ୍ବରରେ ପୁଣି ଥରେ ଫସଲ ଅମଳ ହେବା ପର୍ଯ୍ୟନ୍ତ ଲୋକମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ। ୨୨ ଲକ୍ଷ ବିସ୍ଥାପିତଙ୍କ ସମେତ ନାଇଜେରିଆର ୮୭ ଲକ୍ଷ ଲୋକଙ୍କୁ ଜରୁରୀ ସହାୟତା ଆବଶ୍ୟକ ବୋଲି ଜାତିସଂଘ ମୁଖପାତ୍ର କହିଛନ୍ତି। ଅଧିକ ଖାଦ୍ୟାଭାବ ଅଞ୍ଚଳରେ ଖାଦ୍ୟଶସ୍ୟ ଆବଣ୍ଟନ ବଢ଼ାଇବା ଦିଗରେ ଜାତିସଂଘ ଏବଂ ମାନବୀୟ ସହାୟକ ସଂଗଠନଗୁଡ଼ିକ ସରକାର ଏବଂ ସ୍ଥାନୀୟ ପ୍ରଶାସନ ସହ କାର୍ଯ୍ୟ କରୁଛନ୍ତି। ତେବେ କେତେକ ଅଞ୍ଚଳରେ ହିଂସାକାଣ୍ଡ ଜାରି ରହିଥିବାରୁ ସହାୟତା ଯୋଗାଉଥିବା କର୍ମୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

Share