Advertisement

ବର୍ଷ ଆରମ୍ଭରୁ ମାଓବାଦୀ ସଙ୍ଗଠନକୁ ଶକ୍ତ ଧକ୍କା

ମାଲକାନଗିରି,୧।୧(ଡି.ଏନ.ଏ.): ମାଲକାନଗିରି ଜିଲା ସୀମାନ୍ତରେ ନୂତନ ବର୍ଷର ପ୍ରଥମ ଦିନରେ ମାଓବାଦୀ ସଙ୍ଗଠନକୁ ଲାଗିଛି ଶକ୍ତ ଧକ୍କା। ମାଲକାନଗିରି ଜିଲା ସୀମାନ୍ତକୁ ଲାଗିଥିବା ଛତିଶଗଡ଼ର ସୁକ୍‌ମାରେ ଏହା ଦେଖିବାକୁ ମିଳିଛି।

ସଙ୍ଗଠନକୁ ବିରୋଧ କରି ୯ ଜଣ ମହିଳାଙ୍କ ସମେତ ୪୪ ମାଓବାଦୀ ସୁକ୍‌ମା ଏସ୍‌ପି ସୁନୀଲ ଶର୍ମାଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ୯ ମହିଳା ମାଓବାଦୀଙ୍କ ମଧ୍ୟରେ ଜଣେ ହାର୍ଡକୋର ମାଓବାଦୀ ରହିଛନ୍ତି। ତାଙ୍କ ନାମରେ ଛତିଶଗଡ଼ ସରକାର ପୂର୍ବରୁ ୨ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲେ। ଅନ୍ୟପକ୍ଷେ ଛତିଶଗଡ଼ର ମାଓବାଦୀ ପ୍ରଭାବିତ ଅଞ୍ଚଳରେ ମାଓବାଦୀ ବିରୋଧୀ ଅଭିଯାନକୁ କଡ଼ାକଡ଼ି କାର୍ଯ୍ୟକାରୀ କରାଯାଉଥିବାରୁ ମାଓବାଦୀ ସଙ୍ଗଠନଗୁଡିକ କ୍ରମଶଃ ଦୁର୍ବଳ ହେବାରେ ଲାଗିଛି। ପୂର୍ବଭଳି ମାଓବାଦୀ ସଙ୍ଗଠନକୁ ଲୋକେ ଆଉ ସମର୍ଥନ କରୁ ନ ଥିବାରୁ ସେମାନେ ହତୋତ୍ସାହିତ ହୋଇପଡ଼ିଛନ୍ତି। ଫଳରେ ସଙ୍ଗଠନ ଛାଡ଼ି ମାଓବାଦୀମାନେ ଆତ୍ମସମର୍ପଣ କରୁଛନ୍ତି। ସରକାରୀ ନିୟମ ଅନୁଯାୟୀ ସେମାନଙ୍କୁ ଥଇଥାନ କରାଯିବ ବୋଲି ସୁକ୍‌ମା ଏସ୍‌ପି ଶର୍ମା ପ୍ରକାଶ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share