୪୪% କୋଭିଡ୍‌ ମୃତ୍ୟୁରେ ପ୍ରଭାବିତ ହୋଇଥିଲା ଫୁସ୍‌ଫୁସ୍‌

ମୁମ୍ବାଇ,୧୪।୨: କରୋନା ମହାମାରୀର ତୃତୀୟ ଲହର ବେଳେ ଜାନୁୟାରୀରେ ପ୍ରାଣ ହରାଇଥିବା ରୋଗୀଙ୍କ ମଧ୍ୟରୁ ପ୍ରାୟ ୪୪ ପ୍ରତିଶତଙ୍କ ଫୁସ୍‌ଫୁସ୍‌ କ୍ଷତିଗ୍ରସ୍ତ ହୋଇଥିଲା। ସେମାନଙ୍କଠାରେ ଗୁରୁତର ଶ୍ୱାସକ୍ରିୟା ସମସ୍ୟା ଓ ଅନ୍ୟାନ୍ୟ ଜଟିଳତା ଦେଖାଦେଇଥିଲା ବୋଲି ମହାରାଷ୍ଟ୍ର ସରକାରଙ୍କ କୋଭିଡ୍‌ ମୃତ୍ୟୁ ଅଡିଟ୍‌ କମିଟି ଅନୁଧ୍ୟାନରୁ ଜାଣିବାକୁ ପାଇଛି। ଜାନୁୟାରୀରେ କୋଭିଡ୍‌ରେ ପ୍ରାଣ ହରାଇଥିବା ୧,୦୫୨ ଜଣଙ୍କ ମଧ୍ୟରୁ ୪୫୯ ଜଣଙ୍କଠାରେ ଶ୍ୱାସକ୍ରିୟା ସମସ୍ୟା ଦେଖାଦେଇଥିଲା। ଓମିକ୍ରନ୍‌ ଭାରିଆଣ୍ଟ ଜନିତ ତୃତୀୟ ଲହର ଫେବୃୟାରୀ ଆରମ୍ଭରୁ ହ୍ରାସ ପାଇଚାଲିଛି। ଯେଉଁ ୪୫୯ ଜଣଙ୍କଠାରେ ଶ୍ୱାସକ୍ରିୟା ଜନିତ ସମସ୍ୟା ସୃଷ୍ଟି ହୋଇଥିଲା, ସେମାନେ ସମ୍ଭବତଃ ଡେଲ୍ଟା ଭାରିଆଣ୍ଟରେ ସଂକ୍ରମିତ ହୋଇଥିଲେ ବୋଲି ଡ. ଅବିନାଶ ସୁପେ କହିଛନ୍ତି। ଡେଲ୍ଟା ଫୁସ୍‌ଫୁସ୍‌କୁ ସଂକ୍ରମିତ କରୁଥିବାବେଳେ ଓମିକ୍ରନ୍‌ ଭାରିଆଣ୍ଟ କେବଳ ଗଳାକୁ ପ୍ରଭାବିତ କରୁଛି।

Share