Categories: ବାଣିଜ୍ୟ

ନାଲ୍‌କୋର ୪୪ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର, ୮।୧: ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧୀନ ନବରତ୍ନ ଉଦ୍ୟୋଗ ନାଲ୍‌କୋର ୪୪ତମ ପ୍ରତିଷ୍ଠା ଦିବସ ନିକଟରେ ପାଳିତ ହୋଇଯାଇଛି। ଦୀର୍ଘ ଚାରି ଦଶନ୍ଧିରୁ ଅଧିକ ସମୟର ଏହି ଅନନ୍ୟ ସଫଳତା ସହ ୪୩ବର୍ଷରୁ ଅଧିକ ସମୟ ପୂରଣ କରିବାର ମାଇଲଖୁଣ୍ଟକୁ ପାଳନ କରିବା ନିମନ୍ତେ କମ୍ପାନୀର ଭୁବନେଶ୍ୱର କର୍ପୋରେଟ୍‌ କାର୍ଯ୍ୟାଳୟ ସହ ଅପରେଟିଂ ୟୁନିଟ୍‌ ଏବଂ ଆଞ୍ଚଳିକ କାର୍ଯ୍ୟାଳୟଗୁଡ଼ିକରେ ମଧ୍ୟ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱରର ନାଲ୍‌କୋ ନଗରଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ନାଲ୍‌କୋର ଅଧ୍ୟକ୍ଷ ତଥା ପ୍ରବନ୍ଧକ ନିର୍ଦ୍ଦେଶକ ଶ୍ରୀଧର ପାତ୍ର କମ୍ପାନୀର କାର୍ଯ୍ୟକାରିଣୀ ନିର୍ଦ୍ଦେଶକ, ମୁଖ୍ୟ ସତର୍କତା ଅଧିକାରୀ ଓ କର୍ମଚାରୀମାନଙ୍କୁ ଅଭିବାଦନ ଜଣାଇବା ସହ ସେମାନଙ୍କ ନିଷ୍ଠା ଏବଂ କଠିନ ପରିଶ୍ରମକୁ ପ୍ରଶଂସା କରିଛନ୍ତି। ଏପରିକି ହିତାଧିକାରୀମାନଙ୍କ ସହଯୋଗ ନିମନ୍ତେ ସେ ସାଧୁବାଦ ଜଣାଇଛନ୍ତି।

ଅପରପକ୍ଷରେ ପାତ୍ର କହିଛନ୍ତି, ବିଗତ ୪୩ବର୍ଷର କଠିନ ତଥା ଆନ୍ତରିକ ଉଦ୍ୟମ ଏବଂ ବ୍ୟବସାୟର ପ୍ରାୟ ସମସ୍ତ କ୍ଷେତ୍ରରେ ଉତ୍କର୍ଷତା ପ୍ରଦର୍ଶନ ଦିଗରେ ନିରନ୍ତର ପ୍ରଚେଷ୍ଟା ନାଲ୍‌କୋ ଭଳି ଏକ ବ୍ୟବସାୟିକ ଉଦ୍ୟୋଗ ସୃଷ୍ଟି କରିବାରେ ସହାୟକ ହୋଇଛି, କମ୍ପାନୀ ସର୍ବଦା ଉଚ୍ଚ ପ୍ରଦର୍ଶନ କରିବାରେ ସଫଳ ହୋଇପାରିଛି। ଗତ ତିନି ବର୍ଷ ମଧ୍ୟରେ କମ୍ପାନୀ ଅନେକ ମହତ୍ତ୍ୱପୂର୍ଣ୍ଣ ସଫଳତା ଏବଂ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅତିକ୍ରମ କରିପାରିଛି। ସେହିଭଳି ବ୍ୟାକୱାର୍ଡ ଇଣ୍ଟିଗ୍ରେସନ ତଥା ଆବଶ୍ୟକ ଶକ୍ତି ଏବଂ ବକ୍ସାଇଟ ଭଳି କଞ୍ଚାମାଲର ଉପଲବ୍ଧତା ଫଳରେ ଆଗାମୀ ୩ଦଶନ୍ଧି ନିମନ୍ତେ ଏକ ଦୀର୍ଘସ୍ଥାୟୀ ବ୍ୟବସାୟକୁ ସୁନିଶ୍ଚିତ କରାଯାଇପାରିଛି। ଉଲ୍ଲେଖଯୋଗ୍ୟ, ଆବଣ୍ଟିତ କୋଇଲା ବ୍ଲକଗୁଡିକ କାର୍ଯ୍ୟକ୍ଷମ ହେବା ଏବଂ ପଟାଙ୍ଗି ବକ୍ସାଇଟ୍‌ ଖଣିର ବିଧିଗତ ଅନୁମତି ମିଳିବା ଫଳରେ ଚାଲୁରହିଥିବା ବିଶୋଧନାଗାରର ସମ୍ପ୍ରସାରଣ କାର୍ଯ୍ୟ ତ୍ୱରାନ୍ବିତ ହେବା ସହ ଭବିଷ୍ୟତରେ ହେବାକୁ ଥିବା ସ୍ମେଲଟର ବିସ୍ତାର ଯୋଜନା ଗତିଶୀଳ ହୋଇପାରିଛି। ପରିଶେଷର ପ୍ରତିଷ୍ଠା ଦିବସ ଉପଲକ୍ଷେ କମ୍ପାନୀର ପୂର୍ବତନ ସିଏମଡି ଏବଂ ନିର୍ଦ୍ଦେଶକମାନଙ୍କୁ ସମ୍ମାନିତ କରାଯାଇଥିଲା।

Share