ମ୍ୟାନମାରରେ ଫସିରହିଥିବା ୪୫ ଭାରତୀୟଙ୍କୁ ଉଦ୍ଧାର କଲା ବୈଦେଶିକ ମନ୍ତ୍ରଣାଳୟ

ନାପିଦ୍ୱ,୫।୧୦: ମ୍ୟାନମାରରେ ଫସିରହିଥିବା ଅନେକ ଭାରତୀୟଙ୍କୁ ବୈଦେଶିକ ମନ୍ତ୍ରଣାଳୟ ଉଦ୍ଧାର କରିଛି। ମ୍ୟାନମାରରେ ନକଲି ଚାକିରି ରାକେଟରେ ଫସିରହିଥିବା ୪୫ ଭାରତୀୟଙ୍କୁ ଏପର୍ଯ୍ୟନ୍ତ ଉଦ୍ଧାର କରାଯାଇସାରିଛି ବୋଲି ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି। ପୂର୍ବରୁ ପ୍ରାୟ ୩୨ଜଣ ଭାରତୀୟଙ୍କୁ ଉଦ୍ଧାର କରାଯାଇଥିବା ବେଳେ ବୁଧବାର ଆଉ ୧୩ଜଣ ଭାରତୀୟ ନାଗରିକଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ନାଗରିକମାନେ ବୁଧବାର ତାମିଲନାଡୁରେ ପହଞ୍ଚିଛନ୍ତି। ସୂଚନା ମୁତାବକ, ମ୍ୟାନମାରରେ ନକଲି ଚାକିରି ରାକେଟ ଚଳାଉଥିବା ଲୋକଙ୍କଠାରୁ ଅନେକ ଭାରତୀୟ ନାଗରିକଙ୍କୁ ମୁକ୍ତ କରାଯାଇଛି। ଏଥିସହ ଉକ୍ତ ଦେଶରେ ବେଆଇନ ପ୍ରବେଶ ପାଇଁ ସେମାନଙ୍କୁ ମ୍ୟାନମାର ଅଧିକାରୀଙ୍କ ହାଜତରେ ରହିଛନ୍ତି। ସେମାନଙ୍କୁ ଖୁବ୍‌ଶୀଘ୍ର ଫେରାଇ ଆଣିବା ପାଇଁ ଆଇନଗତ ଔପଚାରିକତା ଆରମ୍ଭ ହୋଇଛି ବୋଲି ଅରିନ୍ଦମ ବାଗଚି କହିଛନ୍ତି। ସୂଚନାଯୋଗ୍ୟ, ଏକ ସପ୍ତାହ ପୂର୍ବରୁ ଭାରତ ସରକାର ଯୁବକମାନଙ୍କୁ ବିଦେଶରେ ଆଇଟି କ୍ଷେତ୍ରରେ ନକଲି ଚାକିରି ବିଷୟରେ ଚେତାବନୀ ଦେଇଥିଲେ। ତେବେ ଥାଇଲାଣ୍ଡରେ ଚାକିରିର ପ୍ରଲୋଭନ ଦେଖାଇ ମ୍ୟାନମାରକୁ ଠକି ନେଇଥିବା ଶହେରୁ ଅଧିକ ଭାରତୀୟଙ୍କ ମାମଲା ସର୍ବସମ୍ମୁଖକୁ ଆସିବା ପରେ ବୈଦେଶିକ ମନ୍ତ୍ରଣାଳୟ ଲୋକଙ୍କୁ ସତର୍କ ରହିବାକୁ ଆଡଭାଇଜରୀ ଜାରି କରିଥିଲା।

Share