Categories: ଜାତୀୟ

୪୫ ମିନିଟ୍‌ର ପାସ୍‌ ଥିଲା,କେମିତି ରହିଲେ ୨ ଘଣ୍ଟା: ସଂସଦରେ ସୁରକ୍ଷା ତ୍ରୁଟି ଉପରେ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ,୧୩।୧୨: ସଂସଦରେ ସୁରକ୍ଷା ତ୍ରୁଟି ସମ୍ପର୍କରେ ଲୋକ ସଭା ବାଚସ୍ପତି ଓମ ବିର୍ଲାଙ୍କ ଦ୍ୱାରା ଡକାଯାଇଥିବା ସର୍ବଦଳୀୟ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରକାଶ ପାଇଛି। ବୈଠକରେ ସୁରକ୍ଷା ପ୍ରୋଟୋକଲରେ ତ୍ରୁଟି ଥିବା ଅନେକ ବିରୋଧୀ ଦଳର ନେତା ଦର୍ଶାଇଛନ୍ତି।
ସୂତ୍ରରୁ ପ୍ରକାଶ ଯେ, ଲୋକ ସଭା ଚାମ୍ବରକୁ ଡେଇଁଥିବା ଦୁଇ ଅଭିଯୁକ୍ତ ମନୋରଂଜନ ଡି ଏବଂ ସାଗର ଶର୍ମା ୪୫ ମିନିଟର ପାସ କରିଥିଲେ, କିନ୍ତୁ ସେମାନେ ନିୟମ ଉଲ୍ଲଂଘନ କରି ପ୍ରାୟ ଦୁଇ ଘଣ୍ଟା ଦର୍ଶକ ଗ୍ୟାଲେରୀରେ ରହିଥିଲେ।
ସଂସଦ ଆକ୍ରମଣ ବାର୍ଷିକୀରେ ଲୋକ ସଭା ସୁରକ୍ଷାରେ ବଡ଼ ଧରଣର ତ୍ରୁଟି ଦେଖାଦେଇଛି। ସୁରକ୍ଷା ବଳୟ ଭେଦ କରି ଦୁଇ ଅଜ୍ଞାତ ଯୁବକ ଲୋକ ସଭାରେ ପଶିଯାଇ ଧୂଆଁ ନିର୍ଗତ କରିଛନ୍ତି। ଲୋକ ସଭା ଚାଲିଥିବା ବେଳେ ହଠାତ୍‌ ଦର୍ଶକ ଗ୍ୟାଲେରିରୁ ୨ ଜଣ ଯୁବକ ଏମ୍‌ପିମାନଙ୍କ ପାଇଁ ଉଦ୍ଦିଷ୍ଟ ସ୍ଥାନକୁ ଡେଇଁ ପଡ଼ି ସେମାନେ ବେଞ୍ଚରୁ ବେଞ୍ଚକୁ ଡେଇଁବାକୁ ଲାଗିଥିଲେ। ଏଥିସହ କିଛି ଧୂଆଁ ନିର୍ଗତ ସାମଗ୍ରୀ ଫିଙ୍ଗିବାକୁ ଉଦ୍ୟମ କରିଥିଲେ। ଏମ୍‌ପିମାନେ ସେମାନଙ୍କୁ କାବୁ କରିଥିଲେ। ପରେ ପରେ ସୁରକ୍ଷାକର୍ମୀମାନେ ପହଞ୍ଚି ସେମାନଙ୍କୁ ସେଠାରୁ ନେଇ ଯାଇଥିଲେ।
ଏହି ଘଟଣାରେ ସମୁଦାୟ ୪ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରୁ ସେଥିମଧ୍ୟରୁ ଦୁଇଜଣଙ୍କୁ ଗୃହ ଭିତରୁ ଗିରଫ କରାଯାଇଥିବାବେଳେ ଦୁଇଜଣଙ୍କୁ ସଂସଦ ବାହାରେ ଗିରଫ କରାଯାଇଛି। ସମସ୍ତଙ୍କଠାରୁ ଧୂଆଁ ନିର୍ଗତ ସାମଗ୍ରୀ ଜବତ କରାଯାଇଛି।

Share