Advertisement

୪୫ଜଣଙ୍କୁ ମିଳିବ ମହିଳା ପ୍ରତିଭା ସମ୍ମାନ

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ) – ବରଗଡ଼ର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଜନ କଲ୍ୟାଣ ସେବା ଟ୍ରଷ୍ଟ ତରଫରୁ ଆସନ୍ତା ୨୭ତାରିଖ ମହିଳା ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଏକ ହୋଟେଲ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଅନୁଷ୍ଠାନର ପ୍ରତିଷ୍ଠାତା ମୁକୁନ୍ଦ ଦାଶ ସଭାପତିତ୍ୱ କରିଥିଲେ।

ବୈଠକରେ ଦାଶ ସୂଚନା ଦେଇ କହିଥିଲେ, ରାଜ୍ୟର ବିଭିନ୍ନ ଜିଲାରେ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିବା ମହିଳିମାନଙ୍କୁ ଉତ୍ସାହିତ କରିବା ପାଇଁ ମହିଳା ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଉକ୍ତ କାର୍ଯ୍ୟକ୍ରମରେ ୪୫ଜଣ ମହିଳାଙ୍କୁ ମାନପତ୍ର ଓ ଉପଢୌକନ ଦେଇ ମହିଳା ପ୍ରତିଭା ସମ୍ମାନରେ ସମ୍ବର୍ଦ୍ଧିତ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ବୈଠକ ରେ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଡଃ ଅଜିତ କୁମାର ନାଥ କାର୍ଯ୍ୟକ୍ରମ ଉପରେ ନିଜର ମତ ରଖିଥିଲେ । ଅନୁଷ୍ଠାନର ସମ୍ପାଦକ ମନୀଷ ଶର୍ମା ବାହାର ଜିଲାରୁ ଆସିଥିବା ପ୍ରତିଭା ମାନଙ୍କୁ ସମ୍ମାନ ଓ ବ୍ୟବହାର ଦେବା ସହ ସମସ୍ତଙ୍କ ପାଇଁ ସୁବ୍ୟବସ୍ଥା କରାଯିବ ବୋଲି ମତବ୍ୟକ୍ତ କରିଥିଲେ।

କାର୍ଯ୍ୟକ୍ରମ ଆସନ୍ତା ୨୭ତାରିଖ ରେନବୋ ପବ୍ଲିକ ସ୍କୁଲଠାରେ ଅନୁଷ୍ଠିତ ହେବ ବୋଲି ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ଶିବାନନ୍ଦ ମଟାରୀ ସୂଚନା ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ଆଜୀବନ ସଦସ୍ୟା, ସଦସ୍ୟ ଉପସ୍ଥିତ ଥିବାବେଳେ ଅନୁ ଭୋଇ, ରାଜକୁମାର ବନଛୋର୍‌, ସନ୍ତୋଷିନି ସାହୁ ,ସାରଥୀ ମେହେର, ଅନିମା ଚକ୍ରବର୍ତ୍ତୀ, ବୃନ୍ଦାବନ ବେହେରା, ଚନ୍ଦ୍ରକାନ୍ତ ସାହୁ, ଯୋଗେନ୍ଦ୍ର ସାହୁ, ଦିନେଶ ସରାଫ, ମାନସ ରଞ୍ଜନ ସାହୁ, ଦୟାନିଧି ପ୍ରଧାନ, ନିହାର ରଞ୍ଜନ ପ୍ରଧାନ, ପାୟଲ ପାତ୍ର , ସ୍ବରୂପା ଭୋଇ ପ୍ରମୁଖ ଉପସ୍ଥିତ ଥିଲେ। ସେମାନଙ୍କୁ ବିଭିନ୍ନ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ଡ଼ା ଅଜିତ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel