Categories: ଜାତୀୟ

ଯୋଗୀଙ୍କ ଶପଥ ଗ୍ରହଣ ଉତ୍ସବରେ ୪୫ ହଜାର ଅତିଥି, ତାଲିକାରେ ସୋନିଆ-ରାହୁଲ-ଅଖିଳେଶଙ୍କ ନାମ…

ଲକ୍ଷ୍ନୌ,୧୭।୩ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଭାଜପାର ସଫଳତା ପରେ ଯୋଗୀ ଆଦିତ୍ୟନାଥ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ଶପଥ ଗ୍ରହଣ ସମାରୋହକୁ ବଡ଼ ଧରଣର କରିବା ପାଇଁ ସମସ୍ତ ପ୍ରସ୍ତୁତି ଚାଲିଛି। ଇକାନା ଷ୍ଟାଡିୟମରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ। ଯୋଗୀ ଆଦିତ୍ୟନାଥଙ୍କ ଶପଥ ଗ୍ରହଣ ସମାରୋହରେ ୪୫ ହଜାର ଅତିଥି ଯୋଗଦେବେ ବୋଲି କୁହାଯାଉଛି।

ଏହା କୁହାଯାଉଛି ଯେ ଏହି କାର୍ଯ୍ୟକ୍ରମ ପାଇଁ ୨୦୦ ଭିଭିଆଇପି ଅତିଥିଙ୍କ ତାଲିକା ପ୍ରସ୍ତୁତ କରାଯାଇଛି। ଭିଭିଆଇପିଙ୍କ ତାଲିକାରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ, ମୁଲାୟମ ସିଂ ଯାଦବ, ବିଏସପି ସୁପ୍ରିମୋ ମାୟାବତୀ ସମେତ ସମସ୍ତ ବିରୋଧୀଦଳର ନେତାଙ୍କ ନାମ ରହିଛି ବୋଲି ଚର୍ଚ୍ଚା ହେଉଛି। ଏହା ସହିତ ଭାଜପା ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଶପଥ ଗ୍ରହଣ ସମାରୋହରେ ଯୋଗଦେବା ସମ୍ଭାବନା ରହିଛି।

ସୂଚନା ଅନୁଯାୟୀ, ଯୋଗୀ ଆଦିତ୍ୟନାଥଙ୍କ ଶପଥ ଗ୍ରହଣ ସମାରୋହରେ ବିରୋଧୀ ଦଳର ସମସ୍ତ ନେତାଙ୍କୁ ନିମନ୍ତ୍ରଣ କରିବାକୁ ପ୍ରସ୍ତୁତି ଚାଲିଛି। ମିଡିଆ ରିପୋର୍ଟ ଅନୁଯାୟୀ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ନୀତିରୁ ଉପକୃତ ହୋଇଥିବା ଉତ୍ତରପ୍ରଦେଶର ହିତାଧିକାରୀମାନଙ୍କୁ ମଧ୍ୟ ଉତ୍ସବକୁ ନିମନ୍ତ୍ରଣ କରାଯିବାର ଯୋଜନା ପ୍ରସ୍ତୁତ କରାଯାଇଛି।

Share