Categories: ଜାତୀୟ

ସ୍ବତନ୍ତ୍ର ସହାୟତା ଯୋଜନାରେ ଓଡ଼ିଶାକୁ ୪,୫୨୮ କୋଟି ମଞ୍ଜୁର

ନୂଆଦିଲ୍ଲୀ (କୁଲଦୀପ ସିଂ), ୨୭ା୬: ଚଳିତ ଆର୍ଥିକ ବର୍ଷରେ ବିଭିନ୍ନ ପ୍ରକଳ୍ପରେ ଅର୍ଥ ବିନିଯୋଗ ସକାଶେ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ରାଜ୍ୟଗୁଡ଼ିକୁ ସ୍ବତନ୍ତ୍ର ସହାୟତା ଯୋଜନାରେ ଅର୍ଥ ମଞ୍ଜୁର କରିଛନ୍ତି। ଅର୍ଥ ମନ୍ତ୍ରଣାଳୟ ଅଧୀନ ଖର୍ଚ୍ଚ ବିଭାଗ ପକ୍ଷରୁ ଓଡ଼ିଶାକୁ ୪,୫୨୮ କୋଟି ଟଙ୍କା ଅନୁମୋଦନ କରାଯାଇଛି। ତେବେ ୧୬ଟି ରାଜ୍ୟକୁ ମଞ୍ଜୁର ହୋଇଥିବା ସମୁଦାୟ ଅର୍ଥରାଶିର ପରିମାଣ ହେଉଛି ୫୬,୪୧୫ କୋଟି ଟଙ୍କା।
ସ୍ବାସ୍ଥ୍ୟ, ଶିକ୍ଷା, ଜଳସେଚନ, ଜଳ ଯୋଗାଣ, ଶକ୍ତି, ସଡ଼କ, ପୋଲ ଓ ରେଲଓ୍ବେ ଭଳି ଦୀର୍ଘମିଆଦୀ ପ୍ରକଳ୍ପରେ ଉପରୋକ୍ତ ଅର୍ଥ ବିନିଯୋଗ କରାଯିବ। ଏଥିରେ ଜଳଜୀବନ ମିଶନ ଓ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା କାର୍ଯ୍ୟକାରିତା ଦିଗରେ ରାଜ୍ୟ ଅଂଶ ବାବଦକୁ ବ୍ୟୟ ହେବାକୁ ଥିବା ଅର୍ଥକୁ ମଧ୍ୟ ମଞ୍ଜୁର ପ୍ରଦାନ କରାଯାଇଛି ବୋଲି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, କେନ୍ଦ୍ର ବଜେଟ ୨୦୨୩-୨୪ରେ ‘ସ୍ପେଶାଲ ଆସିଷ୍ଟାନ୍ସ ଟୁ ଷ୍ଟେଟସ୍‌ ଫର୍‌ କ୍ୟାପିଟାଲ ଇନ୍‌ଭେଷ୍ଟମେଣ୍ଟ ୨୦୨୩-୨୪’ ବିଷୟରେ ଘୋଷଣା କରାଯାଇଥିଲା। ରାଜ୍ୟଗୁଡ଼ିକର ବିଭିନ୍ନ ପ୍ରକଳ୍ପକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟ ରଖାଯାଇ ଏଭଳି ଯୋଜନାର ପରିକଳ୍ପନା ହୋଇଥିଲା। ତଦନୁଯାୟୀ ରାଜ୍ୟଗୁଡ଼ିକୁ ୫୦ ବର୍ଷିଆ ସୁଧମୁକ୍ତ ଋଣ ଦେବା ଲାଗି ସ୍ବତନ୍ତ୍ର ସହାୟତା ବିଷୟରେ ବଜେଟରେ କୁହାଯାଇଥିଲା। ୨୦୨୩-୨୪ ଆର୍ଥିକ ବର୍ଷ ଲାଗି ସମୁଦାୟ ୧.୩ ଲକ୍ଷ କୋଟି ଟଙ୍କା ମଞ୍ଜୁର କରିବା ଲାଗି ବଜେଟରେ ବ୍ୟବସ୍ଥା କରାଯାଇଥିଲା।

Share