୪୫୫ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱ

ବାଲେଶ୍ୱର ଅଫିସ, ୩୦ା୧: ବାଲେଶ୍ୱର ଜିଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଜିଲାପରିଷଦ, ସରପଞ୍ଚ, ସମିତିସଭ୍ୟ ଓ ୱାର୍ଡ଼ମେମ୍ବର ପ୍ରାର୍ଥୀ ପାଇଁ ଜିଲାରେ ମୋଟ୍‌ ୧୨,୯୮୨ ପ୍ରାର୍ଥୀଙ୍କ ପ୍ରାର୍ଥତ୍ପତ୍ର କାଏମ ରହିଛି। ସେଥିମଧ୍ୟରୁ ୨ ସରପଞ୍ଚ, ୩ ସମିତିସଭ୍ୟ, ୪୫୦ ୱାର୍ଡ଼ମେମ୍ବର ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଖଇରା ବ୍ଲକର ବର୍ତ୍ତନା ଓ ବରଦା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଅପ୍ରତିଦ୍ୱନ୍ଦ୍ୱୀ ଭାବେ ନିର୍ବାଚିତ ହୋଇଥିବା ବେଳେ ଭୋଗରାଇ ବ୍ଲକ ନହରା ପଞ୍ଚାୟତ, ରେମୁଣା ବ୍ଲକ ତୁଣ୍ଡୁରା ପଞ୍ଚାୟତ ଓ ବସ୍ତା ବ୍ଲକ କାଦରାୟାଁ ପଞ୍ଚାୟତର ସମିତିସଭ୍ୟ ପ୍ରାର୍ଥୀମାନେ ନିର୍ଦ୍ୱନ୍ଦ୍ୱରେ ବିଜୟୀ ହୋଇଛନ୍ତି। ସେହିପରି ସୋର ବ୍ଲକରେ ୫୭, ସିମୁଳିଆ ବ୍ଲକରେ ୩୯, ସଦର ବ୍ଲକର ୪୫, ଜଳେଶ୍ୱର ବ୍ଲକରେ ୪୭, ନୀଳଗିରି ବ୍ଲକରେ ୫୦, ବାଲିଆପାଳ ବ୍ଲକରେ ୩୨, ଭୋଗରାଇ ବ୍ଲକରେ ୭୦, ଔପଦା ବ୍ଲକରେ ୧୪, ରେମୁଣା ବ୍ଲକରେ ୩୯, ବସ୍ତା ବ୍ଲକରେ ୪୩, ଖଇରା ବ୍ଲକରେ ୮୮ ଓ ବାହାନଗା ବ୍ଲକରେ ୨୬ ୱାର୍ଡ଼ର ୱାର୍ଡ଼ମେମ୍ବରମାନେ ମଧ୍ୟ ଅପ୍ରତିଦ୍ୱନ୍ଦ୍ୱୀ ରହିଛନ୍ତି।
ପଞ୍ଚାୟତ ନିର୍ବାଚନରେ ଜିଲାରେ ମୋଟ୍‌ ୧୨,୯୮୨ ପ୍ରାର୍ଥୀ ଏବେ ମଇଦାନରେ ଅଛନ୍ତି। ମୋଟ୍‌ ୧୬ଲକ୍ଷ ୯୨ହଜାର ୨୯୨ ଭୋଟର ଆସନ୍ତା ଫେବୃୟାରୀ ୧୬ରୁ ୨୪ତାରିଖ ମଧ୍ୟରେ ୫ଟି ପର୍ଯ୍ୟାୟରେ ମତଦାନ ସାବ୍ୟସ୍ତ କରିବେ।