ପାରାଦୀପ,୨୪ା୬ (ସ୍ବ.ପ୍ର.): ଜଗତ୍ସିଂହପୁର ଜିଲା ପାରାଦୀପ ବନ୍ଦର ସହରରେ ଅଛି ୧୫ଟି ବୃହତ୍ ଶିଳ୍ପ। ଏହା ବ୍ୟତୀତ ଶତାଧିକ କ୍ଷୁଦ୍ରଶିଳ୍ପ, ଠିକା ସଂସ୍ଥା, ପାରାଦୀପ ବନ୍ଦର, ଭାରତୀୟ ତୈଳ ନିଗମର ତୈଳ ବିଶୋଧନାଗାର ଆଦି ରହିଛି। କିନ୍ତୁ ନିଯୁକ୍ତି ସୁଯୋଗ ପାରାଦୀପରେ ଗତ ୫ ବର୍ଷ ମଧ୍ୟରେ ଆଦୌ ନାହିଁ ବୋଲି ସରକାରୀ ଭାବେ ଜଣାପଡିଛି। ପାରାଦୀପରେ ରହିଛି ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର କର୍ମ ନିୟୋଜନ କାର୍ଯ୍ୟାଳୟ। ଏହି ସରକାରୀ କାର୍ଯ୍ୟାଳୟ ସୀମା ମଧ୍ୟରେ ପାରାଦୀପ ପୌରାଞ୍ଚଳ, କୁଜଙ୍ଗ, ଏରସମା ଓ ତିର୍ତ୍ତୋଲ ବ୍ଲକ ରହିଛି। ଏହିସବୁ ଅଞ୍ଚଳର ବେକାର ଯୁବତୀଯୁବକମାନେ ନିଯୁକ୍ତି ନିମନ୍ତେ ନିୟୋଜନ କାର୍ଯ୍ୟାଳୟରେ ନାମ ପଞ୍ଜୀକରଣ କରିଥା’ନ୍ତି। ଉକ୍ତ କାର୍ଯ୍ୟାଳୟର ରିପୋର୍ଟ ଅନୁସାରେ ଗତ ୫ ବର୍ଷରେ ଏଠାରେ ୪,୫୮୧ ଜଣ ନାମ ପଞ୍ଜୀକରଣ କରିଛନ୍ତି। ୨୦୧୭ରେ ୧,୫୮୩, ୨୦୧୮ରେ ୧,୨୧୮, ୨୦୧୯ରେ ୯୯୫, ୨୦୨୦ରେ ୩୦୭, ୨୦୨୧ରେ ୩୫୪ ଓ ୨୦୨୨ ଜୁନ ୧୮ ସୁଦ୍ଧା ୧୨୪ ଜଣ ନାମ ପଞ୍ଜୀକରଣ କରିଛନ୍ତି।
ଓଆରଭି (ଓଡ଼ିଶା ରିଜର୍ଭେଶନ ଭାକାନ୍ସି) ଆଇନ ୧୯୫୯ ଅନୁଯାୟୀ ପ୍ରତ୍ୟେକ ଶିଳ୍ପ ସଂସ୍ଥା ଓ ସରକାରୀ ଉଦ୍ୟୋଗ ତାଙ୍କର ନିଯୁକ୍ତି ବେଳେ ନିୟୋଜନ କାର୍ଯ୍ୟାଳୟକୁ ଆବେଦନ କରିବା କଥା। ନିଯୁକ୍ତି କ୍ଷେତ୍ରରେ ୧ମରୁ ୪ର୍ଥ ଶ୍ରେଣୀ କର୍ମଚାରୀ ନିୟୋଜନ ପାଇଁ ପ୍ରତିଶତ ଧାର୍ଯ୍ୟ କରାଯାଇଛି। ଯେମିତି ତୃତୀୟ, ଚତୁର୍ଥ ଶ୍ରେଣୀ କର୍ମଚାରୀ କ୍ଷେତ୍ରରେ ୯୦%, ପ୍ରଥମ ଏବଂ ଦ୍ବିତୀୟ ଶ୍ରେଣୀ ପଦବୀ ପାଇଁ ସେମିତି ନିୟମ ରହିଛି। କିନ୍ତୁ ଉକ୍ତ ନିୟମ କେବେ କାର୍ଯ୍ୟକାରୀ ହେବାର ଦୃଷ୍ଟାନ୍ତ ନାହିଁ ବୋଲି ଅଭିଯୋଗ ହୁଏ। ଏତଦ୍ବ୍ୟତୀତ କେଉଁ ଶିଳ୍ପ ସଂସ୍ଥାର କେତେ କର୍ମଚାରୀ ଅଛନ୍ତି, ତା’ର ସବିଶେଷ ବିବରଣୀ ପ୍ରତିବର୍ଷ ଉକ୍ତ ବିଭାଗ ପାଖରେ ସୂଚନା ଦେବା କଥା। ତା’ମଧ୍ୟ ହେଉ ନ ଥିବା ଜଣାପଡ଼ିଛି।
ପାରାଦୀପର ଯେତେବେଳେ କେଉଁଠି ନିଯୁକ୍ତି ସୁଯୋଗ ସୃଷ୍ଟି ହୁଏ, ସେତେବେଳେ ତଥାକଥିତ ରାଜନେତା, ଶ୍ରମିକ ନେତା ଆବଶ୍ୟକ ପଡ଼ନ୍ତି। ଯେଉଁ ନେତାଙ୍କ ପତିଆରା ଅଧିକ ତାଙ୍କ ପିଲା ନିଯୁକ୍ତି କ୍ଷେତ୍ରରେ ଅଧିକ ସୁଯୋଗ ପାଇଥା’ନ୍ତି। ଏହାର ସୁଯୋଗ ନେଇ କେତେଜଣ ନେତାଙ୍କ ଅନୁଗତମାନେ ଚାକିରି ନାମରେ ଅର୍ଥ ଆଦାୟ କରୁଛନ୍ତି। ଏହା ସତ୍ତ୍ୱେ ନିୟୋଜନ କାର୍ଯ୍ୟାଳୟ ପକ୍ଷରୁ ସେପରି କୌଣସି ପଦକ୍ଷେପ ନିଆଯାଉ ନାହିଁ। କୌତୂହଳ କଥା, ଉକ୍ତ ବିଭାଗର କର୍ମଚାରୀ, ତାଙ୍କ ସନ୍ତାନ ଓ ଆତ୍ମୀୟଙ୍କ ନିଯୁକ୍ତି ପାଇଁ ଏହି ନେତାଙ୍କ ପଛରେ ଦୌଡୁଛନ୍ତି। ଅପରପକ୍ଷେ ପ୍ରଶାସନ ବେଳେବେଳେ କିଛି ସ୍ଥାନରେ ନିଯୁକ୍ତି ମେଳା କରୁଛନ୍ତି। ଏହାବାଦ୍ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ମଧ୍ୟ ହେଉଛି। ସେସବୁ କେବଳ ନାମକୁମାତ୍ର ବୋଲି ଦେବୀପ୍ରସାଦ ସାହୁ ନାମକ ଜଣେ ଯୁବକ କହିଛନ୍ତି। ଏ ସମ୍ପର୍କରେ ଜିଲା ନିୟୋଜନ ଅଧିକାରୀ ତାପସ ସ୍ବାଇଁଙ୍କୁ ପଚାରିବାରେ ନିୟମ ତ ଅନେକ ଅଛି, କିନ୍ତୁ ବ୍ୟବସ୍ଥା ବଦଳି ଯାଇଛି; ଯେଉଁଥିପାଇଁ ନିଯୁକ୍ତି ମିଶନ କାର୍ଯ୍ୟକାରୀ ହୋଇପାରୁନି ବୋଲି ସେ କହିଛନ୍ତି।