ଅଧିକାରୀ ବିଳମ୍ବରେ ଆସିଲେ ସରକାରୀ ଗାଡ଼ି ପ୍ରତ୍ୟାହାର

ଭୁବନେଶ୍ୱର, ୧୪।୭(ବ୍ୟୁରୋ): ବରିଷ୍ଠ ଅଧିକାରୀଙ୍କୁ ଉଚ୍ଚ ଶିକ୍ଷା ବିଭାଗର କଡ଼ା ତାଗିଦ। ଏଣିକି ବିଳମ୍ବରେ ଅଫିସ୍‌ ଆସିଲେ ମିଳୁଥିବା ସରକାରୀ ଗାଡ଼ି ସୁବିଧାକୁ ପ୍ରତ୍ୟାହାର କରାଯିବ। ଏନେଇ ଉଚ୍ଚଶିକ୍ଷା ବିଭାଗର ସଚିବ ଶାଶ୍ୱତ ମିଶ୍ର ବିଭାଗୀୟ ଅଧିକାରୀଙ୍କୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ଅଫିସ୍‌ ଆସିବା ପାଇଁ ପୂର୍ବାହ୍ନ ୧୦ଟା ସମୟ ରହିଛି। ଅତି ଜରୁରୀ ପରିସ୍ଥିତିରେ କେହି ସାଢ଼େ ୧୦ଟା ପର୍ଯ୍ୟନ୍ତ ବିଳମ୍ବରେ ଆସିପାରନ୍ତି। ଅଧଘଣ୍ଟା ସମୟ ଛାଡ଼ କରାଯାଇଛି। କିନ୍ତୁ ଅନେକ ବରିଷ୍ଠ ଅଧିକାରୀ ସାଢ଼େ ୧୦ଟା ପରେ ଆସୁଛନ୍ତି। ଏପରି କି ଅଫିସ୍‌ ଯିବା ଆସିବା ପାଇଁ ସରକାରୀ ଗାଡ଼ି ଦିଆଯାଇଥିଲେ ମଧ୍ୟ ଅନେକ ଅଧିକାରୀ ବିଳମ୍ବରେ ଅଫିସ୍‌ ଆସୁଛନ୍ତି। ତେଣୁ ଅଗଷ୍ଟ ପହିଲାରୁ ଯଦି ଅଧିକାରୀମାନେ ବିଳମ୍ବରେ ଆସନ୍ତି, ତେବେ ସେମାନଙ୍କଠାରୁ ଗାଡ଼ି ପ୍ରତ୍ୟାହାର କରି ନିଆଯିବ ବୋଲି ବିଭାଗ ପକ୍ଷରୁ ଏକ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।

Share