ପେଶାଓ୍ବରର ଆତ୍ମଘାତୀ ବିସ୍ଫୋରଣରେ ୪୬ମୃତ, ୧୫୦ରୁ ଊର୍ଦ୍ଧ୍ୱ ଆହତ

ଇସ୍‌ଲାମାବାଦ୍‌,୩୦।୧: ପାକିସ୍ତାନର ପେଶାୱାରରେ ଥିବା ପୋଲିସ ଲାଇନ୍‌ ମସ୍‌ଜିଦରେ ସୋମବାର ହୋଇଥିବା ବିସ୍ଫୋରଣରେ ଅତିକମ୍‌ରେ ୪୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫୦ରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଛନ୍ତି। ଏହି ଦୁର୍ଘଟଣାରେ ଅନେକ ଲୋକଙ୍କ ଅବସ୍ଥା ଗୁରୁତର ରହିଛି ବୋଲି କୁହାଯାଉଛି। ତେବେ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ସୂଚନାଯୋଗ୍ୟ, ପାକିସ୍ତାନର ଉତ୍ତର-ପଶ୍ଚିମ ସହର ପେଶାୱାରର ଏକ ମସ୍‌ଜିଦ ଭିତରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣ ଏତେ ଜୋରରେ ହୋଇଥିଲା ଯେ, ମସ୍‌ଜିଦର ଏକ ଅଂଶ ସମ୍ପୂର୍ଣ୍ଣ ଭୁଶୁଡି ପଡ଼ିଛି। ଏହି ସମୟରେ ଲୋକମାନେ ଭୟଭୀତ ହୋଇପଡ଼ି ଏପଟ ସେପଟ ଦୌଡ଼ିବାକୁ ଲାଗିଥିଲେ। ଦଳାଚକାଟାରେ ଅତିକମ୍‌ରେ ୪୬ଜଣଙ୍କର ମୃତ୍ୟୁ ଘଟିଛି ବୋଲି ଜଣେ ସରକାରୀ ଅଧିକାରୀ ସୂଚନା ଦେଇଛନ୍ତି। ବିସ୍ଫୋରଣ ପରେ ପୋଲିସ, ସେନା ଏବଂ ବୋମା ନିଷ୍କ୍ରିୟକାରୀ ସ୍କ୍ବାଡ କର୍ମଚାରୀମାନେ ମସ୍‌ଜିଦରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଆହତମାନଙ୍କୁ ପେଶାଓ୍ବରର ରିଡିଂ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟପଟେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ହସ୍ପିଟାଲରେ ପହଞ୍ଚି ଆହତ ଓ ମୃତକଙ୍କ ପରିବାରଙ୍କୁ ଭେଟିଛନ୍ତି। ସେହିପରି ଦେଶର ରାଷ୍ଟ୍ରପତି ଡା. ଆରିଫ ଅଲଓ୍ବି ଏହି ଘଟଣାକୁ ନିନ୍ଦା କରିବା ସହ ଆହତଙ୍କୁ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଅନ୍ୟପଟେ ପାକିସ୍ତାନୀ ଗଣମାଧ୍ୟମ ଦାବି କରିଛି ଯେ, ତେହେରିକ-ଏ-ତାଲିବାନ ପାକିସ୍ତାନ ଯଥା ଟିଟିପି ଏହି ଆତ୍ମଘାତୀ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି।

Share