ପଡ଼ୋଶୀ ଆଫଗାନିସ୍ତାନ ଉପରେ ପାକିସ୍ତାନର ଏୟାର ଷ୍ଟ୍ରାଇକ୍‌: ୪୬ ମୃତ, ଜବାବ ଦିଆଯିବ ବୋଲି କହିଲା…

କାବୁଲ, ୨୫।୧୨: ପାକିସ୍ତାନ ଏହାର ପଡ଼ୋଶୀ ଦେଶ ଆଫଗାନିସ୍ତାନ ଉପରେ କରିଛି ଏୟାର ଷ୍ଟ୍ରାଇକ୍‌। ଦେଶର ପୂର୍ବ ପକ୍ତିକା ରାଜ୍ୟର ବରମଲ ଜିଲାରେ ମଙ୍ଗଳବାର ରାତିରେ ପାକିସ୍ତାନୀ ସେନା ଦ୍ୱାରା ଏୟାରଷ୍ଟ୍ରାଇକ କରାଯାଇଛି। ଏହି ଆକ୍ରମଣରେ ୪୬ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ୬ ଜଣ ଆହତ ହୋଇଥିବା ନେଇ ତାଲିବାନ୍‌ ସରକାରଙ୍କ ଉପ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ କହିଛନ୍ତି। ମୃତକଙ୍କ ମଧ୍ୟରେ ଅଧିକାଶ ଶିଶୁ ଓ ମହିଳା ରହିଛନ୍ତି। ବରମଲ ଜିଲାରେ ୪ଟି ସ୍ଥାନରେ ବୋମା ମାଡ଼ କରାଯାଇଥିବା ନେଇ ସେ କହିଛନ୍ତି।

ଆଫଗାନିସ୍ତାନ ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର ଇନାୟତୁଲ୍ଲାହ ଖୌରାଜମି କହିଛନ୍ତି, ପାକିସ୍ତାନର ଏହି ନିଷ୍ଠୁର କାର୍ଯ୍ୟ ସମସ୍ତ ଅନ୍ତର୍ଜାତୀୟ ନୀତିକୁ ଖୋଲାଖୋଲି ଭାବେ ଉଲ୍ଲଂଘନ କରିଛି। ପଡ଼ୋଶୀ ପାକିସ୍ତାନକୁ ଏହି ଏୟାର ଷ୍ଟ୍ରାଇକ୍‌ର ଜବାବ ଦିଆଯିବ। ତେବେ ତାଲିବାନର ଅଭିଯୋଗ ଉପରେ ପାକିସ୍ତାନୀ ସେନା ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ। ତେବେ ସେନାର ନିକଟତମ ସୁରକ୍ଷା ସୂତ୍ରରୁ ଜଣାପଡ଼ିଛି ଯେ ସୀମା ନିକଟରେ ଥିବା ତାଲିବାନର ଆଡ୍ଡା ଉପରେ ଏହି ଆକ୍ରମଣ କରାଯାଇଛି।

Share