୪୬ ଚୋରା ଗାଡ଼ି ଜବତ: ୫ ଗିରଫ

ଭୁବନେଶ୍ୱର,୪।୧୨(ବ୍ୟୁରୋ): ରାଜଧାନୀରେ ସକ୍ରିୟ ଥିବା ଦୁଇଟି ଗାଡ଼ି ଚୋରି ଗ୍ୟାଙ୍ଗ୍‌ ଧରିଛି କମିଶନରେଟ ପୋଲିସ। ନୟାପଲ୍ଲୀ ଥାନା ପୋଲିସ ଦୁଇ ପୃଥକ ମାମଲାରେ ୪୬ ବାଇକ୍‌ ଜବତ କରିବା ସହ ସମ୍ପୃକ୍ତ ଥିବା ଦୁଇ ଗ୍ୟାଙ୍ଗ୍‌ର ୫ ଜଣଙ୍କୁ ଗିରଫ କରିଛି। ଏଥିସହ ର଼୍ୟାକେଟରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଗିରଫ ପାଇଁ ଉଦ୍ୟମ ଚଳାଇଛି। ପ୍ରଥମ ମାମଲା ନଂ.୩୮୧/୨୦ରେ ଗ୍ୟାଙ୍ଗ ମୁଖ୍ୟଙ୍କ ସମେତ ୩ଜଣ ଗିରଫ ହୋଇଛନ୍ତି। ସେମାନେ ହେଲେ ନୟାଗଡ଼ ଜିଲା ଗୋଡ଼ିପଡ଼ାର ସୋନୁ ପ୍ରଧାନ(୨୯), ଜଙ୍କିଆ ମଳିପଡାର ଟିପା ଓରଫ ଚିତ୍ତରଞ୍ଜନ ପରିଡା(୨୬) ଓ ଦେବ କାଲାସ(୨୮)। ଗ୍ୟାଙ୍ଗ୍‌ ମୁଖ୍ୟ ନୟାଗଡ଼ର ସୋନୁ ଭୁବନେଶ୍ୱର ସାଲିଆ ସାହିରେ ରହୁଥିଲେ। ତାଙ୍କ ନିକଟରୁ ୪୧ ବାଇକ ଜବତ କରାଯାଇଛି। ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ସେମାନଙ୍କୁ ରିମାଣ୍ଡରେ ଅଣାଯାଇ ଅଧିକ ଖୋଳତାଡ଼ କରାଯିବ ବୋଲି ଥାନା ଅଧିକାରୀ ଶରତ କୁମାର ସାହୁ ସୂଚନା ଦେଇଛନ୍ତି। ତାଙ୍କ ସୂଚନା ଅନୁଯାୟୀ, କଟକର ନିଆଳି ଅଞ୍ଚଳରେ ରହୁଥିବା ଯାଜପୁରର ସୌମ୍ୟରଞ୍ଜନ ରଣା ବାଇକରେ ଭୁବନେଶ୍ୱର ନୟାପଲ୍ଲୀ ଆସୁଥିଲେ। ଷ୍ଟିଓ୍ବାର୍ଟ ସ୍କୁଲ୍‌ ନିକଟରେ ସ୍ବାସ୍ଥ୍ୟଜନିତ କାରଣରୁ ସେ ତଳେ ପଡିଯିବା ସହ ଅଚେତ ହୋଇଯାଇଥିଲେ। ଚେତା ଫେରିବାବେଳକୁ ତାଙ୍କ ବାଇକ ଓ ମୋବାଇଲ୍‌ ଫୋନ୍‌ ଚୋରି ହୋଇଥିବା ଜାଣିବା ପରେ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ନିକଟରେ ଲାଗିଥିବା ସିସି ଟିଭି ଫୁଟେଜ୍‌ ଯାଞ୍ଚ କରିବା ସହ ବିଭିନ୍ନ ସ୍ଥାନରେ ଚଢାଉ ଆରମ୍ଭ କରିଥିଲା। ତଦନ୍ତବେଳେ ଗ୍ୟାଙ୍ଗ୍‌ ଓ ସୋନୁଙ୍କ ସମ୍ପର୍କରେ ସୂଚନା ପାଇବା ପରେ ସାଲିଆସାହିସ୍ଥିତ ଘରୁ ତାଙ୍କୁ ଉଠାଇ ଆଣି ପଚରାଉଚରା କରିଥିଲା। ସୋନୁ ନୟାପଲ୍ଲୀ, ଚନ୍ଦ୍ରଶେଖରପୁର, ଶହୀଦ ନଗର ଅଞ୍ଚଳରୁ ଗାଡ଼ି ଚୋରି କରି ଜଙ୍କିଆ ଅଞ୍ଚଳର ଟିପା ଓ ଦେବଙ୍କୁ ଦେଉଥିଲା। ସେମାନେ ଚୋରାଗାଡ଼ିକୁ ମୁଖ୍ୟତଃ ଜଙ୍କିଆର ଖଣି ଅଞ୍ଚଳରେ କମ୍‌ ଦାମ୍‌ରେ ବିକ୍ରି କରୁଥିଲେ।

Share