୪୬ ଛୁଇଁବ ତାତି, ୧୩ ଜିଲାକୁ ରେଡ୍‌ ଓ୍ବାର୍ଣ୍ଣିଂ

ଭୁବନେଶ୍ୱର,୨୮।୪: ତାତିରେ ସିଝୁଛି ସାରା ଓଡ଼ିଶା । ରାଜ୍ୟବାସୀଙ୍କୁ କଲବଲ କରୁଛି ଅସହ୍ୟ ତାତି । ସ୍ଥିତି ଏମିତି ହେଲାଣି ଯେ, ବାହାରକୁ ବି ବାହାରିକା ମୁସ୍କିଲ ହୋଇଗଲାଣି । ପଶ୍ଚିମ ଓ ଉତ୍ତର ପଶ୍ଚିମ ଶୁଷ୍କ ବାୟୁ ପ୍ରବାହ ଯୋଗୁଁ ରାଜ୍ୟରେ ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆସନ୍ତା ୪ ଦିନ ରାଜ୍ୟରେ ତାତିରୁ ନିସ୍ତାର ମିଳିବ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଚଳିତ ବର୍ଷ ଅନୁଗୋଳ ଓ ଭୁବନେଶ୍ୱର ବିଶ୍ୱର ୧୩ ଉତ୍ତପ୍ତ ସହର ମଧ୍ୟରେ ରହିଛି।

ଗତ ୨୪ ଘଣ୍ଟାରେ ଟ୍ବିନ ସିଟି କଟକ ଭୁବନେଶ୍ୱର ସମେତ ରାଜ୍ୟର ୩୩ ସହରର ତାପମାତ୍ରା ୪୦ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ୪୩ ଡିଗ୍ରୀ ଉପରେ ରହିଛି ୧୪ଟି ସହରର ତାପମାତ୍ରା । ଆଗାମୀ ୨ରୁ ୩ଦିନ ମଧ୍ୟରେ ତାପାମାତ୍ରାରେ ଆହୁରି ବୃଦ୍ଧି ଘଟିବା ନେଇ ମଧ୍ୟ ଆଶଙ୍କା ଦେଖାଦେଇଛି ।

ଏଭଳି ହେଲେ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର କେତେକ ଜିଲାରେ ତାପମାତ୍ରା ୪୬ ଡିଗ୍ରୀ ମଧ୍ୟ ଅତିକ୍ରମ କରିପାରେ ବୋଲି ଆକଳନ କରାଯାଉଛି । ଭୀଷଣ ଗ୍ରୀଷ୍ମପ୍ରବାହର ସମ୍ଭାବନା ରହିଥିବାରୁ ଭୁବନେଶ୍ୱର ଓ କଟକ ସହର ସମେତ ୧୩ଟି ସହର ପାଇଁ ରେଡ ଏବଂ ୧୫ଟି ଜିଲା ପାଇଁ ଅରେଂଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ କହିଛି ।

Share