୪୬୧୫୭ ଘରକୁ ଜଳ ଯୋଗାଣ: ୧୯ କୋଟି ୭୩ ଲକ୍ଷ ଟଙ୍କା ବ୍ୟୟବରାଦ

ସୋରଡ଼ା ,୨୭।୮( ଲମ୍ବୋଦର ପାଣିଗ୍ରହୀ): ଗଞ୍ଜମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ୪୧ପଞ୍ଚାୟତ ୧୮୩ଟି ଗ୍ରାମରେ ୪୬୧୫୭ ଘରକୁ ୨୪ ଘଣ୍ଟିଆ ପାଇପ୍‌ ଯୋଗେ ଜଳ ଯୋଗାଣ ପାଇଁ ୧୯ କୋଟି ୭୩ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଛି। ଏଥିରେ ୧୮,୪୬୩୨ ଜନସାଧାରଣ ଉପକୃତ ହୋଇପାରିବେ।

ସେହିପରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ଶିକ୍ଷାନୁଷ୍ଠାନକୁ ୫-ଟି ଅଧୀନରେ ରୂପାନ୍ତର ସହ ପାନୀୟ ଜଳ ଯୋଗାଣ, ଖେଳପଡିଆ, ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ, ଇ. ଲାଇବ୍ରେରୀ ସହ ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା କରାଯିବ। ଏନେଇ କ୍ଷତ୍ରିୟବରପୁର ଆଞ୍ଚଳିକ ମହାବିଦ୍ୟାଳୟକୁ ୫୦ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଥିବା ବେଳେ ବେଲଗୁଣ୍ଠା ଡିଗ୍ରୀ କଲେଜ ୫୦ ଲକ୍ଷ, ଋଷିକୁଲ୍ୟା ଡିଗ୍ରୀ କଲେଜ କେଇଉ ୧କୋଟି, ବେଲଗୁଣ୍ଠା ମହିଳା ଜୁନିୟର କଲେଜକୁ ୫୦ଲକ୍ଷ, କ୍ଷତ୍ରିୟବରପୁର ଜୁନିଅର କଲେଜକୁ ୫୦ ଲକ୍ଷ, ଗୋବରା ମହିଳା ଜୁନିଅର କଲେଜ ୨୫ ଲକ୍ଷ, ବେଲଗୁଣ୍ଠା ବିଜ୍ଞାନ ଜୁନୟର କଲେଜ ୫୦ ଲକ୍ଷ, ପିସିଏମ ଜୁନିୟର କଲେଜ ୨୫ ଲକ୍ଷ, ବୋରଦା ଉଚ୍ଚବିଦ୍ୟାଳୟ ୨୫ ଲକ୍ଷ, ଜେଜେ ବିଦ୍ୟାପୀଠ ୨୫ ଲକ୍ଷ, ଶ୍ରୀଧର ଉଚ୍ଚବିଦ୍ୟାପୀଠ ୨୫ ଲକ୍ଷ ଓ ଋଷିକୁଲ୍ୟା ଜୁନୟର କଲେଜକୁ ୫୦ ଲକ୍ଷ ଅନୁଦାନ ଯୋଗାଇ ଦେବାକୁ ବ୍ୟୟ ବରାଦ ସହ ବିକାଶ କାର୍ଯ୍ୟ କରାଯିବ ବୋଲି ଶନିବାର ୫-ଟି ସଚିବଙ୍କ ଘୋଷଣା ପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି।

ଋଷିକୁଲ୍ୟା ସ୍ନାତକ ମହାବିଦ୍ୟାଳୟ ଅଧ୍ୟକ୍ଷ ରମେଶ ଚନ୍ଦ୍ର ପାଢୀ, ଋଷିକୁଲ୍ୟା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଅନିଲ କୁମାର ଦାସ ପ୍ରମୁଖ ଖୁସି ବ୍ୟକ୍ତ କରିଥିବା ବେଳେ ଋଷିକୁଲ୍ୟା ଧନ୍ଦା ମୂଳକ ଜୁନିୟର କଲେଜକୁ କୌଣସି ଅନୁଦାନ ପାଇଁ ବ୍ୟବସ୍ତା କରାଯାଇ ନ ଥିବାରୁ ଅଧ୍ୟକ୍ଷ ଅନିଲ କୁମାର ଦାସ ଦୁଖ ପ୍ରକାଶ କରିଛନ୍ତି।

ଋଷିକୁଲ୍ୟା ସ୍ନାତକ ମହାବିଦ୍ୟାଳୟରେ ୩ଟି ବିଷୟରେ ପିଜି ପାଠ୍ୟକ୍ରମ ଖୋଲିବା ସହ ବିସିଏ ପାଠ୍ୟକ୍ରମ ଖୋଲିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୫ଟି ଅଧୀନରେ ଆର୍ଥିକ ସହାୟତା ବ୍ୟବସ୍ଥା କରାଯାଇଥିବା ଏକ ଉଚିତ ପଦକ୍ଷେପ, ଯାହାକି ଆବଶ୍ୟକତା ପୂରଣ ପାଇଁ ସହାୟ ହେବ ବୋଲି ଅଧ୍ୟାପକ ହୃଷୀକେଶ ମିଶ୍ର କହିଛନ୍ତି । ଶିକ୍ଷାନୁଷ୍ଠାନ ପାଇଁ ୫ କୋଟି ୫୦ ଲକ୍ଷ, ପାନୀୟ ଜଳ ଯୋଗାଣ ପାଇଁ ୧୯ କୋଟି ୭୩ ଲକ୍ଷ ଟଙ୍କାର ବ୍ୟବସ୍ଥା ହୋଇଛି।

Share