Categories: ଜାତୀୟ

ଭାରତରେ ୪୬୨ ବିଷାକ୍ତ ଔଷଧ

ନୂଆଦିଲ୍ଲୀ,୧୦ା୧୦: ୨୦୧୯-୨୦ରେ ଭାରତରେ ମୋଟ ୮୧,୩୨୯ ଔଷଧର ନମୁନା ଯାଞ୍ଚ କରାଯାଇଥିଲା। ସେଥିରୁ ୨,୪୯୭ ନମୁନା ଉପଯୁକ୍ତ ମାନର ହୋଇ ନ ଥିବା ଜଣାପଡ଼ିଥିଲା। ୧୯୯ ଔଷଧର ନମୁନାରେ ବିଷାକ୍ତ ପଦାର୍ଥ ଥିବା ସ୍ପଷ୍ଟ ହୋଇଥିଲା। ସେହିପରି ୨୦୨୦-୨୧ରେ ଯାଞ୍ଚ କରାଯାଇଥିବା ୮୪,୮୭୪ ନମୁନାରୁ ୨,୬୫୨ ଉପଯୁକ୍ତ ମାନର ହୋଇ ନ ଥିବାବେଳେ ୨୬୩ ବିଷାକ୍ତ ହୋଇଥିବା କୁହାଯାଇଛି। ଭେଜାଲ ମେଡିସିନ କାରବାର ଅଭିଯୋଗରେ ୨୦୧୯-୨୦ରେ ୨୨୦ ଓ ୨୦୨୦-୨୧ରେ ୧୬୪ ଜଣଙ୍କୁ ଗିରଫ କରାଯାଇଥିବା ସରକାରୀ ତଥ୍ୟରୁ ଜଣାପଡ଼ିଛି।
ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ)ର ଏକ ଗବେଷଣା ଅନୁସାରେ ନିମ୍ନ ଓ ମଧ୍ୟମ ଆୟକାରୀ ରାଷ୍ଟ୍ରଗୁଡ଼ିକରେ ପ୍ରତି ୧୦ଟି ମେଡିସିନରୁ ଗୋଟିଏ ନିମ୍ନମାନର କିମ୍ବା ଅନୁପଯୁକ୍ତ। ଅର୍ଥାତ୍‌ ରୋଗ ଉପଷମ କିମ୍ବା ନିରାକରଣ କରୁ ନ ଥିବା ଔଷଧକୁ ଲୋକେ ସେବନ କରୁଛନ୍ତି। ଏଥିଯୋଗୁ ଦେଶର ସ୍ବାସ୍ଥ୍ୟସେବା ବ୍ୟବସ୍ଥା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଶେଷକରି ଦୁର୍ବଳ ଶ୍ରେଣୀର ଲୋକେ ଏହି ନକଲି ଔଷଧ କିଣି ତଳିତଳାନ୍ତ ହେଉଛନ୍ତି। ବିଶ୍ୱର ତୃତୀୟ ଔଷଧ ପ୍ରସ୍ତୁତକାରୀ ରାଷ୍ଟ୍ର ଭାରତରେ ବାର୍ଷିକ ୫୫ ବିଲିୟନ ଡଲାର ମୂଲ୍ୟର ମେଡିସିନ ବ୍ୟବସାୟ ହେଉଥିବାବେଳେ ନକଲି ଓ ନିମ୍ନମାନର ଔଷଧ ଜନସ୍ବାସ୍ଥ୍ୟ ଓ ଦେଶର ଅର୍ଥନୀତି ପାଇଁ ଚିନ୍ତାବୃଦ୍ଧିର କାରଣ ପାଲଟିଛି। ଗତବର୍ଷ ଆସୋଚାମ୍‌ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଭାରତରେ ଉତ୍ପାଦିତ ୨୫% ଔଷଧ ନକଲି କିମ୍ବା ନିମ୍ନମାନର, ଯାହାକି ବିଶ୍ୱର ମୋଟ ଜାଲ୍‌ ମେଡିସିନର ୩୫ ପ୍ରତିଶତ।

ନିକଟରେ ହରିୟାଣାର ଏକ ଫାର୍ମା କମ୍ପାନୀ ଦ୍ୱାରା ପ୍ରସ୍ତୁତ କଫ୍‌ ସିରପ୍‌ ସେବନ କରି ଆଫ୍ରିକୀୟ ରାଷ୍ଟ୍ର ଗାମ୍ବିଆରେ ୬୬ ଶିଶୁଙ୍କ ମୃତ୍ୟୁ ଘଟିଥିବା ନେଇ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ସ୍ପଷ୍ଟ କରାଯିବା ପରେ ଦେଶରେ ଧରପଗଡ଼ ଆରମ୍ଭ ହୋଇଛି। ଏଭଳି ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଶୁକ୍ରବାର ଏକ ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି। ଉକ୍ତ ତଥ୍ୟ ଅନୁଯାୟୀ ୨୦୧୯-୨୧ ମଧ୍ୟରେ ଦେଶର ୪୬୨ ଔଷଧ ନମୁନାରେ ବିଷାକ୍ତ ପଦାର୍ଥ ଠାବ କରାଯାଇଥିଲା। ଏହି ଭେଜାଲ ଓ ଅପମିଶ୍ରିତ ଔଷଧ କାରବାର କରିବା ଅଭିଯୋଗରେ ୩୮୪ ଜଣଙ୍କୁ ଗିରଫ କରାଯାଇଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ କେନ୍ଦ୍ର ସରକାର ଔଷଧ ବ୍ୟବସାୟର ଆଇନଗତ ନିୟମଗୁଡ଼ିକୁ ଶକ୍ତ କରିବା ସମେତ ଅନେକ ପଦକ୍ଷେପ ନେଇଛନ୍ତି। ଔଷଧ ଉତ୍ପାଦନକାରୀ କମ୍ପାନୀ ଓ ନିୟନ୍ତ୍ରକ ଅଧିକାରୀମାନଙ୍କ ଉଦ୍ଦେଶ୍ୟରେ କର୍ମଶାଳା, ତାଲିମ କାର୍ଯ୍ୟକ୍ରମଗୁଡ଼ିକ ଆୟୋଜନ କରାଯାଉଛି।

ନିକଟରେ ପାର୍ଲାମେଣ୍ଟରେ ସରକାରଙ୍କ ପକ୍ଷରୁ ଉପସ୍ଥାପିତ ତଥ୍ୟ ଅନୁଯାୟୀ ୨୦୧୯ ପରଠାରୁ ଦେଶରେ ଔଷଧର ଗୁଣବତ୍ତା ସୁନିଶ୍ଚିତ କରିବା ପାଇଁ ଅନେକ ନିୟାମକ ପଦକ୍ଷେପ ଗ୍ରହଣ କରାଯାଇଛି। ଭାରତରେ ଉତ୍ପାଦିତ କିମ୍ବା ଏଠାରୁ ଅନ୍ୟ ଦେଶକୁ ରପ୍ତାନି ହେଉଥିବା ପ୍ରତ୍ୟେକ ଆକ୍ଟିଭ୍‌ ଫାର୍ମାସ୍ୟୁଟିକାଲ୍‌ ଇନ୍‌ଗ୍ରେଡିଏଣ୍ଟ(ବକ୍‌ ଡ୍ରଗ୍‌)ର ବେବେଲ୍‌ରେ କୁଇକ୍‌ ରେସ୍‌ପନ୍ସ କୋଡ୍‌ ରଖିବା ପାଇଁ ଡ୍ରଗ୍ସ ରୁଲ୍ସ, ୧୯୪୯ରେ ସଂଶୋଧନ ଅଣାଯାଇଛି। ମେଡିସିନ୍‌ରେ ପ୍ରଦତ୍ତ ତଥ୍ୟରେ ୟୁନିକ୍‌ ପ୍ରଡକ୍ଟ ଆଇଡେଣ୍ଟିଫିକେଶନ୍‌ କୋଡ୍‌, ବ୍ୟାଚ୍‌ ନମ୍ବର, ମାନୁଫାକ୍ଚରିଂ ଡେଟ୍‌, ଏକ୍ସପାଏରି ଡେଟ୍‌ ଆଦି ରହିବା ବାଧ୍ୟତାମୂଳକ କରାଯାଇଛି। କୌଣସି ଔଷଧର ଗୁଣବତ୍ତା ପାଇଁ ତାକୁ ବିକ୍ରି ବା ବିତରଣ କରୁଥିବା ବ୍ୟକ୍ତି ଉତ୍ତରଦାୟୀ ରହିବେ ବୋଲି ଏଥିରେ ଦର୍ଶାଯାଇଛି। ଯେଉଁ କ୍ଷେତ୍ରରେ ଆବେଦନକାରୀ ଏକ ନିର୍ଦ୍ଦିଷ୍ଟ ବ୍ରାଣ୍ଡ୍‌ ଅଧୀନରେ ଏକ ଉତ୍ପାଦକୁ ବିକ୍ରି ପାଇଁ ଅନୁମତି ମାଗିବେ, ସେ ଲାଇସେନ୍ସ ପ୍ରଦାନକାରୀ କର୍ତ୍ତୃପକ୍ଷଙ୍କ ନିକଟରେ ଫର୍ମ ୫୧ରେ ଅଣ୍ଡରଟେକିଂ ଦାଖଲ କରିବେ।

ପୂର୍ବରୁ କୌଣସି ଟ୍ରେଡ୍‌ମାର୍କ ରେଜେଷ୍ଟ୍ରି, ସେଣ୍ଟ୍ରାଲ ଡାଟାବେସ୍‌ରେ ଗବେଷଣା ପାଇଁ କିମ୍ବା ବ୍ୟବସାୟ ସକାଶେ ସମ୍ପୃକ୍ତ ଟ୍ରେଡ୍‌ ନେମ୍‌ ବା ଔଷଧର ନାମ ବ୍ୟବହୃତ ହୋଇ ନ ଥିବା ସେ ନିଜ ଅଣ୍ଡରଟେକିଂରେ ଉଲ୍ଲେଖ କରିବେ। ଭାରତର ସେଣ୍ଟ୍ରାଲ ଡଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେଶନ୍‌, କୌଣସି ଆଲେଖ୍ୟ ଓ ରେଫରେନ୍ସ ବୁକ୍‌ରେ ଡ୍ରଗ୍ସ ପ୍ରସ୍ତୁତିର ବିବରଣୀ ନ ଥିବା ନେଇ ତାଙ୍କୁ ଲିଖିତ ଭାବେ ଜଣାଇବାକୁ ପଡ଼ିବ। ଏହାଦ୍ୱାରା ବଜାରରେ ପୂର୍ବରୁ ଉପଲବ୍ଧ ଔଷଧକୁ ନେଇ କୌଣସି ପ୍ରକାର ଦ୍ୱନ୍ଦ୍ୱ ଉପୁଜିବ ନାହିଁ। ଏଥିସହ ଜାଲିଆତିକୁ ମଧ୍ୟ ରୋକାଯାଇପାରିବ ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସଂସଦରେ ଦିଆଯାଇଥିବା ଉତ୍ତରରୁ ସ୍ପଷ୍ଟ ହୋଇଛି।

 

 

Share