Categories: ଜାତୀୟ

୪୮%ଙ୍କ ମତ ବିମାନରେ ମଦ୍ୟପାନ ସେବା ବନ୍ଦହେଉ

ନୂଆଦିଲ୍ଲୀ, ୯।୧: ଏୟାର ଇଣ୍ଡିଆ ବିମାନରେ ନିଶାସକ୍ତ ଅବସ୍ଥାରେ ନିୟନ୍ତ୍ରଣ ହରାଇ ପୁରୁଷ ଯାତ୍ରୀ ମହିଳା ସହଯାତ୍ରୀଙ୍କ ଉପରେ ପରିସ୍ରା କରିବାର ୨ଟି ଘଟଣାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଜୋର୍‌ ଧରିଛି। ବିମାନରେ ଯାତ୍ରୀଙ୍କ ହିତକୁ ଦୃଷ୍ଟିରେ ରଖି ଯାତ୍ରା ସମୟରେ ସମସ୍ତ ପ୍ରକାର ସୁବିଧା ସୁଯୋଗ ସେମାନଙ୍କୁ ଯୋଗାଇ ଦିଆଯାଏ। ଯେଉଁଥିରେ ଖାଦ୍ୟ ସାଙ୍ଗକୁ ଲିକର ମଧ୍ୟ ରହିଥାଏ। ତେବେ ସହଯାତ୍ରୀଙ୍କ ଉପରେ ପରିସ୍ରା ଘଟଣା ପରଠାରୁ ଅନେକ ଲୋକ ବିମାନରେ ଉପଲବ୍ଧ ହେଉଥିବା ଲିକର ବା ମନ୍ୟପାନ ସୁବିଧାକୁ ହଟାଇବା ଲାଗି ମତ ପ୍ରକାଶ କରିଛନ୍ତି।

କମ୍ୟୁନିଟି ପ୍ଲାଟଫର୍ମ ଲୋକାଲସର୍କଲ୍ସ ଏ ନେଇ କରିଥିବା ସର୍ଭେ ଅନୁସାରେ ୪୮% ବିମାନଯାତ୍ରୀ ବର୍ତ୍ତମାନ ସମୟରେ ଫ୍ଲାଇଟ୍‌ରେ ଲିକର ସର୍ଭ ବିରୋଧର ମତ ଦେଇଛନ୍ତି। ସେହିପରି ୮୯% ଲୋକ କହିଛନ୍ତି ଯେ, ବିମାନରେ ଲିକର ସର୍ଭ ସେବା ଦ୍ୱାରା ଫ୍ଲାଇଟ୍‌ରେ ଯେପରି ବିଶୃଙ୍ଖଳା ବାତାବରଣ ସୃଷ୍ଟି ନ ହେବ ସେ ଲାଗି ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯିବା ଉଚିତ। ୫୦%ଙ୍କ ମତ ବିମାନରେ ଯାତ୍ରା କରିବା ପୂର୍ବରୁ ନିଶାସକ୍ତ ଅବସ୍ଥାରେ ବିମାନକୁ ନ ଯିବା ଲାଗି ଏକ ବଣ୍ଡ ସାଇନ୍‌ କରିବା ଜରୁରୀ। ସେହିପରି ଯାତ୍ରୀମାନଙ୍କ ବ୍ରେଥ୍‌ ଆନାଲିସିସ୍‌ ଟେଷ୍ଟ କରିବାକୁ ୪୦% ଯାତ୍ରୀ କହିଥିବାବେଳେ ୨୧% ନିୟମରେ ପରିବର୍ତ୍ତନ ଚାହୁଁଛନ୍ତି।

ବିଜ୍‌ନେସ୍‌ କ୍ଲାସ ଓ ଇକୋନୋମିକ୍‌ ଶ୍ରେଣୀରେ ଏଭଳି ଘଟଣା ଘଟିବାର ଆଶଙ୍କା ରହିଛି। କାରଣ ଯାତ୍ରୀଙ୍କୁ ଆକୃଷ୍ଟ କରିବା ପାଇଁ ବହୁ ଏୟାର ଲାଇନ୍ସ ବିମାନରେ ବାର୍‌ର ସୁବିଧା କରିଥିବାବେଳେ ଯାତ୍ରୀଙ୍କୁ ବିଭିନ୍ନ ବ୍ରାଣ୍ଡ୍‌ର ମଦ ଯୋଗାଉଥିବା ଲୋକାଲ ସର୍କଲ୍‌ସ ପକ୍ଷରୁ କୁହାଯାଇଛି। ବିଶେଷ ଭାବେ ଦୂର ଯାତ୍ରା କରୁଥିବା ଯାତ୍ରୀମାନେ ବିମାନରେ ମଦ ପିଉଥିବାର ଦେଖିବାକୁ ମିଳିଛି। ଏହାଦ୍ୱାରା ଯାତ୍ରା ସମୟରେ ସେମାନଙ୍କୁ ବୋର୍‌ କିମ୍ବା ଥକାପଣ ଜଣାପଡ଼ି ନ ଥାଏ। କିନ୍ତୁ ଏ ନେଇ ଅନ୍ୟ ଯାତ୍ରୀମାନଙ୍କୁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ସହଯାତ୍ରୀଙ୍କ ଉପରେ ପରିସ୍ରା କରିବା ହୁଏତ ପ୍ରଥମ ଘଟଣା ହୋଇଥିବ କିନ୍ତୁ ନିଶାସକ୍ତ ଅବସ୍ଥାରେ ଯାତ୍ରୀ ଅନ୍ୟ ସହଯାତ୍ରୀଙ୍କୁ ଦୁର୍ବ୍ୟବହାର କରୁଥିବା ଅନେକ ସମୟରେ ଦେଖାଯାଇଛି।

ନଭେମ୍ବର ୨୬ରେ ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ଏୟାର୍‌ ଇଣ୍ଡିଆ ବିମାନରେ ଶଙ୍କର ମିଶ୍ରା ନାମକ ବ୍ୟକ୍ତି ନିଶାସକ୍ତ ଅବସ୍ଥାରେ ଜଣେ ବୟସ୍କା ମହିଳାଙ୍କ ଉପରେ ପରିସ୍ରା କରିଥିଲେ। ଏ ନେଇ ବିମାନ କର୍ମଚାରୀ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ମହିଳାଜଣକ ଏୟାର ଇଣ୍ଡିଆ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ। ଶନିବାର ପୋଲିସ ବିଭାଗୀୟ ଟିମ୍‌ ଶଙ୍କରଙ୍କୁ ଗିରଫ କରି ଦିଲ୍ଲୀର ଏକ କୋର୍ଟରେ ହାଜର କରିବା ପରେ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏ ଘଟଣାର ୧୦ ଦିନ ପରେ ଅର୍ଥାତ୍‌ ଡିସେମ୍ବର ୭ରେ ପ୍ୟାରିସରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନରେ ଜଣେ ଯୁବକ ନିଶାରେ ଥାଇ ଆଉଜଣେ ମହିଳା ସହଯାତ୍ରୀଙ୍କ ବ୍ଲାଙ୍କେଟ୍‌ରେ ପରିସ୍ରା କରିଥିଲେ। ଏ ନେଇ ତାଙ୍କୁ ବିମାନବନ୍ଦର କର୍ତ୍ତୃପକ୍ଷ ଅଟକ ରଖିଥିବାବେଳେ ସେ ଲିଖିତ ଭାବେ କ୍ଷମା ମାଗିବା ପରେ ତାଙ୍କୁ ଛାଡ଼ିଦିଆଯାଇଥିଲା।

Share