ବୋଟ୍‌ ବୁଡ଼ି ୪୯ ଶରଣାର୍ଥୀ ମୃତ

କାଇରୋ,୧୧ା୬ : ଶରଣାର୍ଥୀମାନଙ୍କୁ ନେଇ ଯାଉଥିବା ଏକ ବୋଟ୍‌ ୟେମେନ ଉପକୂଳରେ ବୁଡ଼ିଯିବାରୁ ୪୯ ଜଣଙ୍କ ମୃତ୍ୟୁ ଘଟିବା ସହ ୧୪୦ ଜଣ ନିଖୋଜ ହୋଇଯାଇଛନ୍ତି। ଜାତିସଂଘର ଅନ୍ତର୍ଜାତୀୟ ଦେଶାନ୍ତର ଗମନ ସଂଗଠନ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ସୋମାଲିଆର ଉତ୍ତର ଉପକୂଳରୁ ୨୬୦ରୁ ଊର୍ଦ୍ଧ୍ୱ ସୋମାଲି ଓ ଇଥିଓପିଆ ନାଗରିକ ଆଡେନ୍‌ ଉପସାଗର ଦେଇ ବୋଟ୍‌ରେ ଯାଉଥିବାବେଳେ ସୋମବାର ଏହା ୟେମେନ୍‌ ଉପକୂଳରେ ବୁଡ଼ିଯାଇଥିଲା।

ତଲାସି ଅଭିଯାନ ଜାରି ରହିଥିବାବେଳେ ୭୧ ଜଣଙ୍କୁ ଉଦ୍ଧାର କରାଯାଇଛି। ମୃତକଙ୍କ ମଧ୍ୟରୁ ୩୧ଜଣ ମହିଳା ଓ ଛୋଟ ପିଲା। ପୂର୍ବ ଏବଂ ଉତ୍ତରପୂର୍ବ ଆଫ୍ରିକାରୁ ବହୁ ସଂଖ୍ୟାରେ ଲୋକ ଉପସାଗରୀୟ ଦେଶରେ କାମଧନ୍ଦା ପାଇଁ ଏହି ରୁଟ୍‌ ଦେଇ ଆସିଥାନ୍ତି। ବୋଟ୍‌ରେ ଅତ୍ୟଧିକ ଭିଡ଼ ଏବଂ ଅନେକ ସମୟରେ ଜଳଦସ୍ୟୁଙ୍କ ହାବୁଡ଼ରେ ପଡ଼ି ସେମାନେ ଦୁର୍ଘଟଣାର ସମ୍ମୁଖୀନ ହୋଇଥାନ୍ତି।

ଗତ ଏପ୍ରିଲରେ ୟେମେନ ଆସୁଥିବା ୨ଟି ବୋଟ୍‌ ଜିବୌଟି ଉପକୂଳରେ ବୁଡ଼ିଯିବାରୁ ଅନୂ୍ୟନ ୬୨ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହି ରୁଟ୍‌ରେ ୨୦୨୧ରୁ ଇତିମଧ୍ୟରେ ଅନୂ୍ୟନ ୧,୮୬୦ ଜଣଙ୍କ ମୃତ୍ୟୁ ଘଟିଲାଣି ବା ନିଖୋଜ ହୋଇଯାଇଛନ୍ତି ବୋଲି ଇଣ୍ଟରନ୍ୟାଶନାଲ ଅର୍ଗାନାଇଜେଶନ ଫର୍‌ ମାଇଗ୍ରେଶନ ପକ୍ଷରୁ କୁହାଯାଇଛି।

Share