ଓଡ଼ିଶାର ୨୫୦ ସ୍ଥାନରେ ଉପଲବ୍ଧ ହେବ ୪ଜି ସେବା

ନୂଆଦିଲ୍ଲୀ,୨୮ା୪: ଦେଶର ମାଓବାଦୀ ଅଧ୍ୟୁଷିତ ଅଞ୍ଚଳଗୁଡ଼ିକରେ ଟେଲି ଯୋଗାଯୋଗ କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ କେନ୍ଦ୍ର ସରକାର ବୁଧବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ୨,୩୪୩ଟି ସ୍ଥାନରେ ୨ଜି ନେଟଓ୍ବର୍କକୁ ୪ଜିରେ ପରିଣତ କରିବା ଲାଗି ୧,୮୮୪.୫୯ କୋଟି ଟଙ୍କା ଖର୍ଚ୍ଚ କରାଯିବା ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କ୍ୟାବିନେଟ ବୈଠକ ନିଷ୍ପତ୍ତି ଫଳରେ ଓଡ଼ିଶାର ୨୫୦ ସ୍ଥାନରେ ପ୍ରଥମ ପର୍ଯ୍ୟାୟରେ ୪ଜି ମୋବାଇଲ ସେବା ଉପଲବ୍ଧ ହେବ। ମାଓବାଦୀ ପ୍ରଭାବିତ ଏହି ସ୍ଥାନଗୁଡ଼ିକୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଚିହ୍ନଟ କରାଯାଇଥିଲା।
ଯୋଗାଯୋଗ ମନ୍ତ୍ରଣାଳୟ ସୂଚନା ଅନୁସାରେ, ୨ଜିରୁ ୪ଜି ନେଟଓ୍ବର୍କକୁ ବିକଶିତ କରାଯିବାକୁ ଥିବା ଓଡ଼ିଶାର ଜିଲାଗୁଡ଼ିକ ହେଲା ସୁନ୍ଦରଗଡ଼, ସୁବର୍ଣ୍ଣପୁର, ନୂଆପଡ଼ା, କନ୍ଧମାଳ, କଳାହାଣ୍ଡି, ଝାରସୁଗୁଡ଼ା, ଦେବଗଡ଼, ବରଗଡ଼, ମୟୁରଭଞ୍ଜ, କେନ୍ଦୁଝର, ନୟାଗଡ଼, ଯାଜପୁର, ଢେଙ୍କାନାଳ, ଅନୁଗୋଳ, ରାୟଗଡ଼ା, ନବରଙ୍ଗପୁର, ମାଲକାନଗିରି, କୋରାପୁଟ, ଗଞ୍ଜାମ ଓ ଗଜପତି। ସେହିପରି ମାଓବାଦୀ ଅଧ୍ୟୁଷିତ ଅଞ୍ଚଳରେ ବିଏସ୍‌ଏନ୍‌ଏଲ୍‌ ଦ୍ୱାରା ପରିଚାଳିତ ୨ଜି ନେଟଓ୍ବର୍କ ସାଇଟ୍‌ଗୁଡ଼ିକରେ ପୂର୍ବ ନିର୍ଦ୍ଧାରିତ ୫ ବର୍ଷରୁ ଊର୍ଦ୍ଧ୍ୱ ସମୟରେ ରକ୍ଷଣାବେକ୍ଷଣ ଓ ଆନୁସଙ୍ଗିକ କାର୍ଯ୍ୟ ପାଇଁ ୫୪୧.୮୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। କ୍ୟାବିନେଟ ମଞ୍ଜୁରୀ ଦିନଠାରୁ ଅଥବା ୪ଜି ନେଟଓ୍ବର୍କ କାର୍ଯ୍ୟକ୍ଷମ ହେବା ପରଠୁ ୧ ବର୍ଷ ପର୍ଯ୍ୟନ୍ତ ଅବଧି ବୃଦ୍ଧି କରାଯାଇପାରିବ। ସମ୍ପୃକ୍ତ ଅଞ୍ଚଳଗୁଡ଼ିକରେ ଏହା ଉନ୍ନତ ଇଣ୍ଟରନେଟ ଓ ଡାଟା ସର୍ଭିସ ପ୍ରଦାନରେ ସହାୟକ ହେବ ବୋଲି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏହି ଅଞ୍ଚଳରେ ମୁତୟନ ଥିବା ସୁରକ୍ଷାକର୍ମୀମାନଙ୍କ ଯୋଗାଯୋଗ ଆବଶ୍ୟକତା ମଧ୍ୟ ଏଥିରୁ ପୂରଣ ହେବ। ଏହାବାଦ୍‌ ଇ-ଗଭର୍ନାନ୍ସ, ବ୍ୟାଙ୍କିଙ୍ଗ, ଟେଲି ମେଡିସିନ୍‌, ଟେଲି-ଏଜୁକେଶନ(ଦୂର ଶିକ୍ଷା) ଭଳି ସେବା ମୋବାଇଲ ବ୍ରଡବ୍ୟାଣ୍ଡ୍‌ ଜରିଆରେ ପ୍ରଦାନ କରାଯାଇପାରିବ।

Share