Categories: ବାଣିଜ୍ୟ

ପ୍ରଥମ ତ୍ରୈମାସିକରେ ୫.୨୫ନିୟୁତ ଟନ୍‌ ଅଶୋଧିତ ଇସ୍ପାତ ଉତ୍ପାଦନ

ଭୁବନେଶ୍ୱର, ୭।୭ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଟାଟା ଗ୍ରୁପ୍‌ର ଅଗ୍ରଣୀ କମ୍ପାନୀ ‘ଟାଟା ଷ୍ଟିଲ୍‌’ ର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକର ଫଳାଫଳ (ଉତ୍ପାଦନ ଓ ଡେଲିଭରି) ବିଷୟରେ ବିସ୍ତୃତ ଭାବେ ଭାବେ ଘୋଷଣା କରାଯାଛି। ଏପରିକି ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ କମ୍ପାନୀର ଅଶୋଧିତ ଇସ୍ପାତ ଉତ୍ପାଦନ ୫.୨୫ ନିୟୁତ ଟନ୍‌ ହୋଇଥିଲାବେଳେ ବାର୍ଷିକ ଭିତିରେ ଏହା ୫% ବୃଦ୍ଧି ପାଇଛି। ରକ୍ଷଣାବେକ୍ଷଣ ପାଇଁ କାରଖାନା ବନ୍ଦ କରାଯାଇଥିବା କାରଣରୁ ତ୍ରୈମାସିକ ଭିତ୍ତିରେ ଉତ୍ପାଦନ କମ୍‌ ହୋଇଛି। ଭାରତରେ କମ୍ପାନୀର ଡେଲିଭରି ଏହି ସମୟ ମଧ୍ୟରେ ୪.୯୪ ନିୟୁତ ଟନ୍‌ ହୋଇଛି, ଯାହା ବାର୍ଷିକ ଭିତ୍ତିରେ ୩% ବୃଦ୍ଧି ପାଇଛି। ଡେଲିଭରି ଦୃଷ୍ଟିରୁ ଏହା କମ୍ପାନୀର ସର୍ବକାଳୀନ ଶ୍ରେଷ୍ଠ ତ୍ରୈମାସିକ ସାବ୍ୟସ୍ତ ହୋଇଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ସେହିଭଳି ଅଟୋମୋଟିଭ୍‌ ଓ ସ୍ବତନ୍ତ୍ର ଉତ୍ପାଦନ ବର୍ଗରେ ଡେଲିଭରି ୧୪% ବୃଦ୍ଧି ପାଇ ୦.୮ନିୟୁତ ଟନ୍‌ ହୋଇଛି। ଯାତ୍ରୀବାହୀ ଯାନ, ବାଣିଜି୍ୟକ ଯାନ ଭଳି କ୍ଷେତ୍ରରେ ବଜାର ତୁଳନାରେ ଅଧିକ ଅଭିବୃଦ୍ଧି ହାସଲ ହୋଇଛି। ସେହିପରି ବ୍ରାଣ୍ଡେଡ୍‌ ଉତ୍ପାଦ ଓ ଖୁଚୁରା ବର୍ଗରେ ଡେଲିଭରି ବାର୍ଷିକ ଭିତ୍ତିରେ ୬% ବୃଦ୍ଧି ପାଇ ୧.୭ନିୟୁତ ଟନ୍‌ ହୋଇଛି। ଟାଟା ଟିସ୍‌କନ୍‌ର ଡେଲିଭରି ବାର୍ଷିକ ଭିତ୍ତିରେ ୧୫% ବୃଦ୍ଧି ପାଇଥିବା ବେଳେ ଟାଟା ଆଷ୍ଟ୍ରମ୍‌ ଓ ଟାଟା ଷ୍ଟିଲିଅମ୍‌ ପାଇଁ ବିକ୍ରି ଦୃଷ୍ଟିରୁ ଏହା ସର୍ବକାଳୀନ ଶ୍ରେଷ୍ଠ ବର୍ଷ ସାବ୍ୟସ୍ତ ହୋଇଛି। ସେହିପରି ଶିଳ୍ପ ଉତ୍ପାଦ ଓ ପ୍ରକଳ୍ପରେ ଡେଲିଭରି ୧.୮ନିୟୁତ ଟନ୍‌ ହୋଇଛି, ଯେଉଁଥିରେ ଇଞ୍ଜିନିୟରିଂ କ୍ଷେତ୍ରରେ ସର୍ବାଧିକ ବିକ୍ରି ହାସଲ ହୋଇଛି। ଟାଟା ଷ୍ଟିଲ୍‌ ଆସିଆନାରୁ ରାଜସ୍ବ ୬୪୪କୋଟି ଟଙ୍କା ହୋଇଛି, ଯାହା ବାର୍ଷିକ ଭିତ୍ତିରେ ୭୩% ବଢ଼ିଛି ଏବଂ ସ୍ବତନ୍ତ୍ର ଗ୍ରାହକ ସଂଖ୍ୟାରେ ୫୦% ବୃଦ୍ଧି ଘଟିଛି।

Share