Categories: ଜାତୀୟ

‘ମୋଦି ସରକାରରେ ୫.୩୫ ଲକ୍ଷ କୋଟିର ବ୍ୟାଙ୍କ ଜାଲିଆତି’

ନୂଆଦିଲ୍ଲୀ,୧୪।୨: କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଭାଜପା ସରକାରରେ ଦେଶରେ ୫.୩୫ ଲକ୍ଷ କୋଟି ଟଙ୍କାର ବ୍ୟାଙ୍କ ଦୁର୍ନୀତି ହୋଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଅଭିଯୋଗ କରିଛନ୍ତି। ସ୍ବାଧୀନତାର ୭୫ ବର୍ଷ ମଧ୍ୟରେ ଲୋକଙ୍କ ଟଙ୍କା ସହ ଏଭଳି ଜାଲିଆତି ହୋଇ ନ ଥିଲା। ଏବେ ଲୁଟ୍‌ ଓ ଡକାୟତିର ଦିନ ଚାଲିଥିଲାବେଳେ ମୋଦିଙ୍କ ବନ୍ଧୁମାନଙ୍କ ପାଇଁ ଏହା ଭଲ ଦିନ (ଅଚ୍ଛେ ଦିନ୍‌) ବୋଲି ରାହୁଲ ଟୁଇଟ୍‌ କରିଛନ୍ତି। ଗୁଜରାଟର ଏବିଜି ଶିପୟାର୍ଡ ୨୨,୮୪୨ କୋଟି ଟଙ୍କା ବ୍ୟାଙ୍କ ଋଣ ଜାଲିଆତି କରିଛି। ଏହା ଦେଶର ସବୁଠୁ ବଡ଼ ବ୍ୟାଙ୍କ ଠକେଇ। ମୋଦି ସରକାରରେ କ୍ଷମତାର ଉଚ୍ଚ ପଦବୀରେ ଥିବା ବ୍ୟକ୍ତିମାନେ ଏହି ଦୁର୍ନୀତି ସହ ସମ୍ପୃକ୍ତ ବୋଲି କଂଗ୍ରେସ ଅଭିଯୋଗ କରିଛି। ଏବିଜି ଶିପ୍‌ୟାର୍ଡର ବ୍ୟାଙ୍କ ଦୁର୍ନୀତି ଧରାପଡ଼ିବା ପରେ ଏତଲା ଦାଏର କରିବାକୁ ସରକାର କ’ଣ ପାଇଁ ୫ ବର୍ଷ ସମୟ ନେଲେ ବୋଲି ବିରୋଧୀ ଦଳ ପ୍ରଶ୍ନ କରିଛି। ଗତ ୭ ତାରିଖରେ ସିବିଆଇ ଏବିଜି ଶିପ୍‌ୟାର୍ଡ ଲିଃ, ଏହାର ପୂର୍ବତନ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଣିଶି କମଲେଶ ଅଗ୍ରଓ୍ବାଲ ଓ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ କରିଛି। ବ୍ୟାଙ୍କ ଜାଲିଆତିରେ ସମ୍ପୃକ୍ତ ନୀରବ ମୋଦି, ମେହୁଲ ଚୋକ୍‌ସି, ଲଳିତ ମୋଦି, ବିଜୟ ମାଲ୍ୟା, ଜତିନ ମେହେଟ୍ଟା, ଚେତନ ଓ ନିତୀନ ସନ୍ଦେସରା ଓ ଅନ୍ୟମାନଙ୍କ ପାଇଁ ମୋଦି ସରକାର ‘ଲୁଟ୍‌ ଆଣ୍ଡ୍‌ ଏସ୍‌କେପ୍‌’ ଯୋଜନା ଚଳାଇଥିବା କଂଗ୍ରେସ ମୁଖ୍ୟ ମୁଖପାତ୍ର ରଣଦୀପ୍‌ ସୁର୍ଜଓ୍ବୋଲା ଅଭିଯୋଗ କରିଛନ୍ତି। ଏହି ତାଲିକାର ଶେଷ ବ୍ୟକ୍ତି ଭାବେ ଅଗ୍ରଓ୍ବାଲ୍‌ ଓ ଅନ୍ୟମାନେ ସାମିଲ ହୋଇଥିବା ସୁର୍ଜଓ୍ବୋଲା କହିଛନ୍ତି।
ଅନ୍ୟପକ୍ଷରେ କଂଗ୍ରେସ ନେତୃତ୍ୱାଧୀନ ଉପା ସରକାର ସମୟରେ ଏବିଜି ଶିପ୍‌ୟାର୍ଡକୁ ବ୍ୟାଙ୍କ ଋଣ ମଞ୍ଜୁର କରାଯାଇଥିବା ଭାଜପା କହିଛି। ମୋଦି ସରକାର ଏହି ଦୁର୍ନୀତିକୁ ଧରିପାରିଛି। ବ୍ୟାଙ୍କ ଠକେଇ ମାମଲାରେ କଂଗ୍ରେସ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିବା କୌଣସି ଅପରାଧ ମାମଲାରେ ଚୋର ପୋଲିସକୁ ଦାୟୀ କରିବା ଭଳି ବୋଲି ଭାଜପା ମୁଖପାତ୍ର ତଥା ରାଜ୍ୟ ସଭା ସଦସ୍ୟ ସୟେଦ ଜାଫର ଇସ୍‌ଲାମ କହିଛନ୍ତି। ଉକ୍ତ ଜାହାଜ ନିର୍ମାଣକାରୀ ସଂସ୍ଥାକୁ ୨୦୧୪ ପୂର୍ବରୁ ଋଣ ଦିଆଯାଇଥିଲା। ପୂର୍ବ ବ୍ୟବସ୍ଥା ଯୋଗୁ ଦେଶରେ ଅଣକାର୍ଯ୍ୟକାରୀ ସମ୍ପତ୍ତି (ଏନ୍‌ପିଏ) ବୃଦ୍ଧି ପାଇଥିଲା ବୋଲି ସୟେଦ କହିଛନ୍ତି।

Share