ଅଷ୍ଟିନ୍,୧୭।୧୨: ଆମେରିକାର ଟେକ୍ସାସରେ ଜୋରଦାର ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୪ ରହିଛି। ଏଥିରେ କୌଣସି କ୍ଷୟକ୍ଷତି ହୋଇଥିବା ସୂଚନା ମିଳିନାହିଁ। ସୂଚନା ମୁତାବକ, ଶୁକ୍ରବାର ସ୍ଥାନୀୟ ସମୟ ଅନୁସାରେ ସନ୍ଧ୍ୟା ୫ଟା ୩୫ମିନିଟ୍ରେ ରାଜ୍ୟର ପଶ୍ଚିମ ଅଞ୍ଚଳରେ ଜୋରଦାର ଭୂକମ୍ପ ଝଟ୍କା ଅନୁଭୂତ ହୋଇଥିଲା। ଏହି ସମୟରେ ଲୋକମାନେ ଭୟଭୀତ ହୋଇପଡ଼ି ବାହାରକୁ ପଳାଇ ଆସିଥିଲେ। ତେବେ ଏଥିରେ କେହି ହତାହତ କିମ୍ବା କୌଣସି କ୍ଷତି ନେଇ ସୂଚନା ମିଳିନାହିଁ। ଭୂକମ୍ପର କେନ୍ଦ୍ରସ୍ଥଳ ମିଡଲ୍ୟାଣ୍ଡର ଉତ୍ତର-ପଶ୍ଚିମର ୨୨କିଲୋମିଟର ଦୂର ଏବଂ ୯ କିଲୋମିଟର ଗଭୀର ରହିଥିଲା ବୋଲି ୟୁଏସ୍ଜିଏସ୍ ପକ୍ଷରୁ କୁହାଯାଇଛି।