ମାସକରେ ୫.୬୬ କୋଟି ଗଣିଲେ ଅମାନିଆ

ଭୁବନେଶ୍ୱର,୩୦।୪(ବ୍ୟୁରୋ): ଅମାନିଆଙ୍କ ପାଇଁ ଓଡ଼ିଶାରେ ହୁହୁ ହୋଇ ସଂକ୍ରମଣ ବଢ଼ୁଛି। ଜରିମାନା ଓ ଗିରଫ ସତ୍ତ୍ୱେ କୋଭିଡ୍‌ ନିୟମ ଉଲ୍ଲଂଘନ ହେଉଥିବାରୁ ସ୍ଥିତି ବିଗିଡିବାରେ ଲାଗିଛି। ଏ ପରିସ୍ଥିତିରେ କରୋନା ମହାମାରୀର ଭୟାବହତାକୁ ନେଇ ପୋଲିସ ଡିଜି ଅଭୟ ରାଜ୍ୟବାସୀଙ୍କୁ ସଚେତନ କରାଇଛନ୍ତି। ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ୱକୁ ସେ ଗୁରୁତ୍ୱ ଦେଇଥିବାବେଳେ ଅମାନିଆଙ୍କ ପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା କହିଛନ୍ତି। କେବଳ ଏପ୍ରିଲ ମାସରେ ମାସ୍କ ଓ ସାମାଜିକ ଦୂରତା ନିୟମ ଉଲ୍ଲଂଘନକାରୀଙ୍କଠାରୁ ୫କୋଟି ୬୬ଲକ୍ଷ ୬୫ହଜାର ଜରିମାନା ଆଦାୟ କରାଯାଇଛି। ମାସ୍କ ପିନ୍ଧି ନ ଥିବାରୁ ଦେଢ ଲକ୍ଷ ଲୋକ ଜରିମାନା ଗଣିଛନ୍ତି। ଏମାନଙ୍କଠାରୁ ଜରିମାନା ବାବଦକୁ ୫ କୋଟି ୨୪ ଲକ୍ଷ ଟଙ୍କା ଆଦାୟ ହୋଇଛି। ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଗୁରୁବାର ଆୟୋଜିତ କୋଭିଡ୍‌ ସଚେତନତା ପରାମର୍ଶ କାର୍ଯ୍ୟକ୍ରମରେ ଯୋଗଦେଇ ଡିଜିପି ଅଭୟ ଏହି ସୂଚନା ଦେଇଛନ୍ତି।
ସେ କହିଛନ୍ତି, କୋଭିଡ୍‌ କଟକଣା ପାଇଁ ରାଜ୍ୟରେ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ଇତିମଧ୍ୟରେ ସାଢେ ୩ଶହ ଦୋକାନ ଓ କୋଚିଂ ଇନ୍‌ଷ୍ଟିଚ୍ୟୁଟ ସିଲ୍‌ ହୋଇଛି। ଏପ୍ରିଲରେ କୋଭିଡ୍‌ ନିୟମ ଉଲ୍ଲଂଘନ କରି ୪୧୮ଜଣ ଅମାନିଆ ଗିରଫ ହୋଇଛନ୍ତି। ୧୩୦୦ରୁ ଅଧିକ ଅବକାରୀ ମାମଲା ରୁଜୁ ହୋଇଛି। ୧୮ ହଜାରରୁ ଅଧିକ ଗାଡି ସିଜ୍‌ ହୋଇଛି। ଅନ୍ୟପଟେ ଲୋକେ କୋଭିଡ୍‌ ନିୟମ ମାନୁ ନ ଥିବାରୁ ଡିଜିପି ଦୁଃଖ ପ୍ରକାଶ କରିଛନ୍ତି। ସେଥିପାଇଁ ଲୋକେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ଓ ସମସ୍ତ କୋଭିଡ୍‌ ନିୟମ ମାନିବାକୁ ନିବେଦନ କରିଛନ୍ତି। ଏହାସହ ନିୟମ ମାନୁଥିବା ଲୋକଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି।

Share