ନୂଆଦିଲ୍ଲୀ,୧୧।୨: ଦେଶର ପ୍ରଥମ ଲିଥିୟମ ଖଣି ଜମ୍ମୁ-କଶ୍ମୀରରେ ଠାବ ହୋଇଛି। ଏଥିରେ ଗଚ୍ଛିତ ଲିଥିୟମର ପରିମାଣ ୫.୯ ନିୟୁତ ଟନ୍। ପ୍ରଥମ ଥର ପାଇଁ ଭାରତରେ ଏହି ଗୁରୁତ୍ୱପୂର୍ଣ୍ଣ ଧାତୁ ଜମ୍ମୁ-କଶ୍ମୀରର ରିଆସି ଜିଲାରୁ ମିଳିଥିବାରୁ ଏହା ଏକ ବଡ଼ ସଫଳତା ବୋଲି ଖଣି ସଚିବ ବିବେକ ଭରଦ୍ୱାଜ କହିଛନ୍ତି। ଏବେ ଲିଥିୟମ, ନିକେଲ ଏବଂ କୋବାଲ୍ଟ ଭଳି ଅନେକ ଖଣିଜ ପାଇଁ ଭାରତ ଆମଦାନୀ ଉପରେ ନିର୍ଭରଶୀଳ। ଦେଶ ଆତ୍ମନିର୍ଭର ହେବା ଲାଗି ଜଟିଳ ଖଣିଜ ଖୋଜି ବାହାର କରିବା ଏବଂ ତାହାର ପ୍ରକ୍ରିୟାକରଣ କରିବା ଗୁରୁତ୍ୱପୂର୍ଣ୍ଣ। ଏହିସବୁ ସାମଗ୍ରୀ ଆମଦାନୀ ହ୍ରାସ ପାଇପାରିଲେ ଆମେ ଆତ୍ମନିର୍ଭର ହୋଇପାରିବା ବୋଲି ୬୨ତମ କେନ୍ଦ୍ରୀୟ ଭୂତାତ୍ତ୍ୱିକ କାର୍ଯ୍ୟକ୍ରମ ବୋର୍ଡ ବୈଠକରେ ଉଦ୍ବୋଧନ ଦେଇ ଖଣି ସଚିବ କହିଛନ୍ତି। ଆମେରିକା ଭୂତାତ୍ତ୍ୱିକ ସର୍ଭେ (ୟୁଏସ୍ଜିଏସ୍) ରିପୋର୍ଟ ଅନୁଯାୟୀ ବିଶ୍ୱରେ ୮୦ ନିୟୁତ ଟନ୍ ପରିମାଣର ଲିଥିୟମ ଖଣି ଚିହ୍ନଟ ହୋଇଥିବାବେଳେ ସେଥିରୁ ମାତ୍ର ୨୨ ନିୟୁତ ଟନ୍ ଖଣି ଉତ୍ତୋଳନ ଉପଯୋଗୀ ହୋଇପାରିଛି। ଲିଥିୟମ ବିଭିନ୍ନ କାର୍ଯ୍ୟରେ ବ୍ୟବହୃତ ହେଉଥିଲେ ହେଁ ମୋବାଇଲ ଫୋନ, ଲାପ୍ଟପ, ବିଦ୍ୟୁତଚାଳିତ ଏବଂ ହାଇବ୍ରିଡ୍ ଯାନର ବ୍ୟାଟେରି ପ୍ରସ୍ତୁତିରେ ଏହା ସବୁଠୁ ଗୁରୁତ୍ୱପୂର୍ଣ୍ଣ ଉପାଦାନ। ଏହା ବ୍ୟତୀତ କାଚ ଏବଂ ସେରାମିକ୍କୁ ସୁଦୃଢ଼ ଓ ତାପ ପ୍ରତିରୋଧୀ କରିବାକୁ ସେଥିରେ ଲିଥିୟମ ମିଶ୍ରଣ କରାଯାଇଥାଏ। ଆଲୁମିନିୟମ ଏବଂ ତମ୍ବା ସହ ଲିଥିୟମ ମିଶାଇ ବିମାନ, ମହାକାଶ ଯାନ ନିର୍ମାଣରେ ବ୍ୟବହାର କରାଯାଇଥାଏ।