Advertisement

ଗଞ୍ଜେଇ ଚୋରା ଚାଲାଣ ମାମଲାରେ ୫ ଅଭିଯୁକ୍ତଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ

କୋରାପୁଟ,୪।୪(ସ୍ବ.ପ୍ର. ): ଗଞ୍ଜେଇ ଚୋରା ଚାଲାଣ ମାମଲାର ବିଚାରକରି ମଙ୍ଗଳବାର କୋରାପୁଟ ଅତିରିକ୍ତ ଜିଲାଜର୍ଜ ୫ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏଥିସହ ଅଭିଯୁକ୍ତଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ସହ ଏକ ଲକ୍ଷ ଟଙ୍କା ଲେଖାଏ ଜରିମାନା ଦେବାକୁ କୋର୍ଟ ଆଦେଶ ଦେଇଛନ୍ତି। ତେବେ ଜରିମାନା ଅନାଦେୟରେ ଅଭିଯୁକ୍ତଙ୍କୁ ଆଉ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିବାକୁ ରାୟରେ ଉଲ୍ଲେଖ ରହିଛି। ୧୦ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ଏହି ରାୟ ଶୁଣାଇଛନ୍ତି ବିଚାରପତି ମହଲତ ଶା। ଦୋଷୀ ସାବ୍ୟସ୍ତ ହୋଇଥିବା ସାଙ୍ଗୀ ଏବଂ ଲକ୍ଷ୍ମଣ ପଞ୍ଜାବର ହୋଇଥିବା ବେଳେ, ଦୀପକ ରାମ ଏବଂ ପୂଜାରୀ ହରିୟାଣାର ଓ ସନ୍ତୋଷ କୁମାର ଚୌଧୁରୀ କୋରାପୁଟ ଜିଲା ନନ୍ଦପୁର ଗ୍ରାମର ବୋଲି ଜଣାପଡିଛି।

ସୂଚନାଯୋଗ୍ୟ, ଗତ ୨୦୧୯ ନଭେମ୍ବର ମାସ ୨୫ ତାରିଖରେ ପାଡୁଆ ଥାନା ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ଅତଣ୍ଡା ଗାଁ ଆଡୁ ଦ୍ରୁତଗତିରେ ଆସୁଥିବା ଏକ ମ୍ୟାକ୍ସ ପିକ୍‌ଅପ ଭ୍ୟାନ ଉପରେ ସନ୍ଦେହ ହେବାରୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ କରିବାରୁ ଉକ୍ତ ଭ୍ୟାନରୁ ପ୍ରାୟ ଚାରି କ୍ୟୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଥିଲା। ଏଥିରେ ୫ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବା ବେଳେ ରଘୁ ନାମକ ଜଣେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପାଡୁଆ ପୋଲିସ ଥାନା କେସ ନଂ ୮୫/୨୦୧୯ ରୁକୁ କରି ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିଲା । ପରେ ଘଟଣାର ତଦନ୍ତକରି ଅଭିଯୁକ୍ତ ଫର୍ଦ୍ଦ ଦାଖଲ କରିବା ପରେ କୋରାପୁଟ ଅତିରିକ୍ତ ଜିଲା ଦୌରା ଜର୍ଜଙ୍କ ଅଦାଲତରେ ଟିଆର କେସ ନଂ ୩୫/୨୦୧୯ରେ ବିଚାର ଚାଲିଥିଲା । ସମସ୍ତ ସାକ୍ଷୀ ପ୍ରମାଣକୁ ଭିତ୍ତିକରି ବିଚାରପତି ଉପରୋକ୍ତ ରାୟ ଶୁଣାଇଥିବା ଜଣାଯାଇଛି। ସରକାରଙ୍କ ପକ୍ଷରୁ ଆଇନଜୀବୀ ଜୟନ୍ତ କୁମାର ମିଶ୍ର ମାମଲାର ପରିଚାଳନା କରୁଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share