୫ ଅଙ୍ଗନଓ୍ବାଡି କେନ୍ଦ୍ରକୁ ଆଇଏସ୍‌ଓ ମାନ୍ୟତା

ଭୁବନେଶ୍ୱର, ୩୦।୭(ବ୍ୟୁରୋ): ଉଚ୍ଚ ମାନର ସମନ୍ବିତ ଅଙ୍ଗନଓ୍ବାଡ଼ି ସେବା ପ୍ରଦାନକୁ ସୁନିଶ୍ଚିତ କରିବା ଓ ଭିତ୍ତିଭୂମି ନିର୍ମାଣରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ୍‌ର ୫ ଅଙ୍ଗନଓ୍ବାଡ଼ି କେନ୍ଦ୍ରକୁ ଆଇଏସ୍‌ଓ ୯୦୦୧:୨୦୧୫ ମାନତା ମିଳିଛି। ୩ ଆଦର୍ଶ ଅଙ୍ଗନଓ୍ବାଡି କେନ୍ଦ୍ର କେନ୍ଦୁବାଡ଼ି, କଂସାରି ଓ ବସନ୍ତପଡ଼ା ଏବଂ ୨ ଅଙ୍ଗନଓ୍ବାଡ଼ି କେନ୍ଦ୍ର ଯୋଡ଼ାବନ୍ଧ ଓ ଲାଞ୍ଜିଗଡ଼ ରୋଡ୍‌-୨କୁ ଏହି ପ୍ରମାଣପତ୍ର ମିଳିଛି। ଏସବୁ ଅଙ୍ଗନଓ୍ବାଡ଼ି କେନ୍ଦ୍ରର ଆଧୁନିକୀକରଣ, ପ୍ରାକ୍‌-ବିଦ୍ୟାଳୟ ଶିକ୍ଷା ପ୍ରଦାନରେ ଗୁଣାତ୍ମକ ଅଭିବୃଦ୍ଧି, ଦ୍ୱାରଦେଶରେ ଉନ୍ନତ ମାତୃ ଓ ଶିଶୁ ସ୍ବାସ୍ଥ୍ୟସେବା ପ୍ରଦାନ, ଉନ୍ନତ ପୁଷ୍ଟିସାଧନ, ଜୀବିକା ସୁରକ୍ଷା, ଟିକାକରଣ, ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ଆଦି ବିଭିନ୍ନ ସେବା ପ୍ରଦାନରେ ଉତ୍କର୍ଷ ପ୍ରଦର୍ଶନକୁ ବିଚାରକୁ ନିଆଯାଇଛି। ସେହିଭଳି ଆଶୁ ଚିକିତ୍ସା, ସ୍ବଚ୍ଛ ଶୌଚାଳୟ, ଝିଅପୁଅଙ୍କ ପାଇଁ ସ୍ବତନ୍ତ୍ର ଶୌଚାଳୟ, ବିଶୁଦ୍ଧ ପାନୀୟ ଜଳ, ରାମ୍ପ ନିର୍ମାଣ, ଆଶା, ଅଙ୍ଗନଓ୍ବାଡ଼ି କର୍ମୀ ଏବଂ ଅଙ୍ଗନବାଡ଼ି ସହାୟିକାଙ୍କ ନିମନ୍ତେ ପ୍ରତ୍ୟହ କାର୍ଯ୍ୟସୂଚୀ କାନ୍ଥରେ ପ୍ରଦର୍ଶନ, ଆସବାବପତ୍ର ତାଲିକାଭୁକ୍ତ, ସୁରକ୍ଷା ଅଭ୍ୟାସ ଆଦି ସୁବ୍ୟବସ୍ଥିତ ପରିଚାଳନାକୁ ମଧ୍ୟ ଆଇଏସ୍‌ଓ ମାନ୍ୟତା ଚୟନବେଳେ ଗୁରୁତ୍ୱ ଦିଆଯାଇଛି। କଳାହାଣ୍ଡି ଜିଲା ପ୍ରଶାସନ ଏବଂ ବେଦାନ୍ତର ସହଭାଗିତା ତଥା ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରଚେଷ୍ଟାରେ ଏହି ଅଙ୍ଗନଓ୍ବାଡ଼ି କେନ୍ଦ୍ରଗୁଡ଼ିକୁ ଆଦର୍ଶ ଏବଂ ଉନ୍ନତ ଅଙ୍ଗଓ୍ବାଡ଼ି କେନ୍ଦ୍ରରେ ପରିଣତ କରାଯାଇପାରିଛି। ଆଗାମୀ ଦିନରେ ମଧ୍ୟ ସାରା ରାଜ୍ୟର ଅଙ୍ଗନଓ୍ବାଡ଼ି କେନ୍ଦ୍ରଗୁଡ଼ିକୁ ସେହିପରି ଭାବେ ଗଢ଼ି ତୋଳିବା ସହ ଆଇଏସ୍‌ଓ ସାର୍ଟିଫିକେଶନ ପାଇବା ନିମନ୍ତେ ଉଦ୍ୟମ ଚାଲିଥିବା ବିଭାଗ ପକ୍ଷରୁ କୁହାଯାଇଛି। ତେବେ ଏହି ୫ ଅଙ୍ଗନଓ୍ବାଡ଼ି କେନ୍ଦ୍ରକୁ ଆଇଏସ୍‌ଓ ମାନ୍ୟତା ମିଳିବା ପରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ କଳାହାଣ୍ଡି ଜିଲାପାଳ ଡ. ଗାଭାଲି ପରାଗ ହର୍ଷଦ, ବେଦାନ୍ତର ସିଏସ୍‌ଆର୍‌ ଓ କେପିଏମ୍‌ଜିର ବୈଷୟିକ ପରାମର୍ଶଦାତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Share