ଓ୍ବାଶିଂଟନ୍, ୨୩।୧୧: ଜଟିଳ ଓ ପ୍ରାଣଘାତୀ ରୋଗଗୁଡ଼ିକରେ ବିଶ୍ୱର ବହୁ ଲୋକଙ୍କ ମୃତ୍ୟୁ ଘଟୁଛି। ପ୍ରାଣ ହରାଉଥିବା ଲୋକଙ୍କ ମଧ୍ୟରୁ ଅନେକଙ୍କ ପାଇଁ ବ୍ୟାକ୍ଟେରିଆ ସଂକ୍ରମଣ ବା ଇନ୍ଫେକ୍ସନ୍ କାଳ ସାଜୁଛି। ଭାରତରେ ମଧ୍ୟ ବହୁ ଲୋକ ସଂକ୍ରମଣଜନିତ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଉପଯୁକ୍ତ ଔଷଧ ଉପଲବ୍ଧ ନ ହେବାରୁ ସେମାନଙ୍କ ମୃତ୍ୟୁ ଘଟୁଛି। ୨୦୧୯ରେ ଇନ୍ଫେକ୍ସନ କାରଣରୁ ଭାରତରେ ମୋଟ ୬.୮ ଲକ୍ଷ ଲୋକଙ୍କ ଜୀବନ ଯାଇଥିବା ଲାନ୍ସେଟ୍ ମାଗାଜିନ୍ରେ ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏଥିଲାଗି ୫ ପ୍ରମୁଖ ବ୍ୟାକ୍ଟେରିଆ ଇ.କୋଲି, ଏସ୍. ନିମୋନିଆ, କେ.ନିମୋନିଆ, ଏସ୍. ୟୁରେୟସ୍ ଏବଂ ଏ. ବଉମାନକୁ ଦାୟୀ କରାଯାଉଛି। ଇ.କୋଲି ବ୍ୟାକ୍ଟେରିଆ ସର୍ବାଧିକ ୧.୬ ଲକ୍ଷ ଲୋକଙ୍କ ଜୀବନ ନେଇଛି।
୨୦୧୯ରେ ବ୍ୟାକ୍ଟେରିଆ ସଂକ୍ରମଣ ଯୋଗୁ ବିଶ୍ୱରେ ୭୭ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ ୫୪.୯%ଙ୍କ ପ୍ରାଣହାନି ଏହି ୫ ବ୍ୟାକ୍ଟେରିଆ ସଂକ୍ରମଣ ହେତୁ ଘଟିଥିବା ଉକ୍ତ ରିପୋର୍ଟରେ ଦର୍ଶାଯାଇଛି । ତଥ୍ୟ ଅନୁସାରେ ପାଖାପାଖି ୩୩ ପ୍ରକାର ବ୍ୟାକ୍ଟେରିଆ ପାଥୋଜେନ୍ (ଜର୍ମ) ସାରା ବିଶ୍ୱରେ ୧୧ ପ୍ରକାର ସଂକ୍ରାମକ ରୋଗ ସୃଷ୍ଟି କରିଛନ୍ତି। ଏସ୍. ୟୁରେୟସ୍ ବ୍ୟାକ୍ଟେରିଆ ସଂକ୍ରମଣ ବିଶେଷକରି ୧୩୫ ଦେଶରେ ଦେଖାଯାଇଥିବାବେଳେ ୧୫ ବର୍ଷରୁ ଅଧିକ ବୟସ ବର୍ଗଙ୍କ କ୍ଷେତ୍ରରେ ଏହା ଅଧିକ ପ୍ରାଣଘାତୀ ସାବ୍ୟସ୍ତ ହୋଇଛି। ଅନ୍ୟପକ୍ଷେ ଏସ୍. ନିମୋନିଆ ସଂକ୍ରମଣର ଶିକାର ହୋଇ ୫ ବର୍ଷରୁ କମ୍ ବୟସର ଶିଶୁଙ୍କ ମୃତ୍ୟୁ ଘଟିଛି। ୩ ବର୍ଷ ପୂର୍ବେ ପ୍ରମୁଖ ୩ ବ୍ୟାକ୍ଟେରିଆ ଦ୍ୱାରା ସୃଷ୍ଟ ସଂକ୍ରମଣ ଯୋଗୁ ବିଶ୍ୱରେ ୬ ନିୟୁତ ଲୋକଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ ୨ ନିୟୁତ ଆକ୍ରାନ୍ତଙ୍କ କ୍ଷେତ୍ରରେ ଶ୍ୱାସକ୍ରିୟାରେ ଅନିୟମିତତା ଦେଖାଯାଇଥିବାବେଳେ ୧ ନିୟୁତଙ୍କ ପେଟରେ ସଂକ୍ରମଣ ଦେଖାଯାଇଥିଲା। ବିଭିନ୍ନ ରୋଗୀଙ୍କ ଶରୀରରେ ସଂକ୍ରମଣର ଭିନ୍ନ ଭିନ୍ନ ଲକ୍ଷଣ ଦେଖାଯାଇଥାଏ ।
ସଂକ୍ରମଣଜନିତ ମୃତ୍ୟୁ ରୋକିବା ପାଇଁ ଗ୍ଲୋବାଲ୍ ହେଲ୍ଥ କମ୍ୟୁନିଟି ପକ୍ଷରୁ ବହୁମୁଖୀ ପଦକ୍ଷେପ ନିଆଯିବା ଆବଶ୍ୟକ ବୋଲି ଗ୍ଲୋବାଲ ବର୍ଡନ୍ ଅଫ୍ ଡିଜିଜ୍, ଇନଜ୍ୟୁରିଜ୍ ଆଣ୍ଡ୍ ରିସ୍କ ଫ୍ୟାକ୍ଟର (ଜିବିଡି) ପକ୍ଷରୁ ପ୍ରକାଶିତ ଅଧ୍ୟୟନ ରିପୋର୍ଟରେ ଦର୍ଶାଯାଇଛି। ସଂକ୍ରମଣ ବୋଝକୁ ଦୂର କରିବା ଲାଗି ଆଣ୍ଟିବାୟୋଟିକ୍ର ବ୍ୟବହାରକୁ କମାଇବା ଜରୁରୀ। ସେହିପରି ରୋଗୀଙ୍କ ପାଇଁ ସ୍ବତନ୍ତ୍ର ଟିକା ପ୍ରସ୍ତୁତ କରାଯିବା ସହ ମହଜୁଦ ଔଷଧକୁ ସଂକ୍ରମଣ ରୋକିବାରେ ବ୍ୟବହାର ପଦ୍ଧତି ଉପରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ।