ବିଦ୍ୟୁତ୍‌ ତାର ଲାଗି ୫ ମଇଁଷି ମୃତ

ଲାଠୋର,୨ା୭(ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ବନାଞ୍ଚଳ ଅଧୀନ ଲାଠୋର-ଖର୍ଲି ଗ୍ରାମ ସୀମାରେ ଥିବା ଚାନ୍ଦଲି ଡ଼ୁଙ୍ଗୁରି ନିକଟରେ ବାର୍‌ହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍‌ ତାରରେ ଲାଗି ୫ ମଇଁଷିଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ମଇଁଷି ମାଲିକ ଖର୍ଲି ଗ୍ରାମର ନାନୁ ଭଇଁଷାଲ ଭାଙ୍ଗି ପଡିଛନ୍ତି। ମଇଁଷି ରଖି କ୍ଷୀର ବିକ୍ରୟ କରି ସେ ପରିବାର ପ୍ରତିପୋଷଣ କରୁଥିଲେ। ଶନିବାର ରାତିରେ ମଇଁଷିମାନେ ଗୁହାଳରୁ ବାହାରି ଚାନ୍ଦଲି ଡ଼ୁଙ୍ଗୁରି ଦେଇ ଲାଠୋର ପଟକୁ ଆସୁଥିବା ବେଳେ କେହି ବାର୍‌ହା ଶିକାର ପାଇଁ ବିଦ୍ୟୁତ୍‌ ତାର ବିଛାଇଥିଲେ। ମଇଁଷିମାନେ ତାରରେ ଲାଗି ମୃତ୍ୟୁମୁଖରେ ପଡ଼ିଛନ୍ତି। ମଇଁଷିର ହାରାହାରି ମୂଲ୍ୟ ୩ ଲକ୍ଷ ଟଙ୍କା ହେବ ବୋଲି ନାନୁ କହିଛନ୍ତି। ଏନେଇ ଲାଠୋର ଫରେଷ୍ଟର ସାଗରିକା ସେଠଙ୍କୁ ପଚାରିବାରେ ଘଟଣାର ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି। କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି।

Share