୫ ଶ୍ରେଣୀକୁ ୨ ଶିକ୍ଷକ

ବରଗଡ଼,୧୦।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଶିକ୍ଷା ବ୍ୟବସ୍ଥା ଭୁଷୁଡି ପଡ଼ିଛି। କେଉଁଠି ସ୍କୁଲ ସ୍ଥାନାନ୍ତରଣ ଯୋଗୁ ପିଲାମାନେ ପାଠ ପଢିବାକୁ ହଟହଟା ହେଉଛନ୍ତି ତ ଆଉ କେଉଁଠି ଶିକ୍ଷକ ଅଭାବ ଯୋଗୁଁ ପାଠପଢା ବ୍ୟାହତ ହେଉଛି। ବରଗଡ଼ ଜିଲା ଅତାବିରା ବିଧାନସଭା ନିର୍ବାଚନ ମଣ୍ଡଳୀର ଭେଡେନ ବ୍ଲକ ଅଧୀନ ବରପଦର ପ୍ରାଥମିକ ବିଦ୍ୟାଳୟରେ ଏଭଳି ସମସ୍ୟା ଉପୁଜିଛି।

ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ହେଲେ ସେଠାରେ ଶିକ୍ଷାଦାନ ପାଇଁ ରହିଛନ୍ତି ମାତ୍ର ୨ଜଣ ଶିକ୍ଷକ। କେବଳ ସେତିକି ନୁହେଁ, ସମ୍ପୃକ୍ତ ୨ଶିକ୍ଷକଙ୍କ ମଧ୍ୟରୁ ଜଣେ ଶିକ୍ଷକ ଅଧିକାଂଶ ସମୟ ତାଲିମ ଏବଂ ଅନ୍ୟ କାମରେ ବାହାରେ ରହୁଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି। ଏଭଳି ସ୍ଥିତିରେ ଉକ୍ତ ସ୍କୁଲରେ ପାଠପଢା ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହେଉଛି। ଏ ନେଇ ଭେଡେନ ବ୍ଲକ ଶିକ୍ଷା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସତ୍ତ୍ବେ କିଛି ସୁଫଳ ମିଳି ନାହିଁ। ଫଳରେ ବିଦ୍ୟାଳୟରେ ତୁରନ୍ତ ଅଧିକ ଶିକ୍ଷକ ନିଯୁକ୍ତି ଦେବାନେଇ ସୋମବାର ଶତାଧିକ ଅଭିଭାବକ ଜିଲାପାଳଙ୍କ ନିକଟରେ ଦାବି କରିଛନ୍ତି। ଦାବି ପୂରଣ ନ ହେଲେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଅଭିଭାବକମାନେ ଚେତାବନୀ ଦେଇଛନ୍ତି।

Share