ଜଳବାୟୁ ପରିବର୍ତ୍ତନ ଯୋଗୁ ପ୍ରାକୃତିକ ବିପର୍ଯ୍ୟୟ ସଙ୍କଟରେ ୫ ଦେଶ…

ଓ୍ବାଶିଂଟନ,୧୮।୭ : ଜଳବାୟୁ ପରିବର୍ତ୍ତନ ସମଗ୍ର ବିଶ୍ୱରେ ବିପଦ ସୃଷ୍ଟି କରିଛି। ଏହି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଆମେରିକା, ଚାଇନା, ଦକ୍ଷିଣ କୋରିଆ, ଜାପାନ, ସ୍ପେନାରେ ସଙ୍କଟ ସୃଷ୍ଟି ହୋଇଛି। ଦକ୍ଷିଣ କୋରିଆରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଯୋଗୁଁ ୩ ଦିନରେ ୪୦ ଜଣଙ୍କର ମୃତ୍ୟୁ ଘଟିଛି। ଆମେରିକାର ଆଲାସ୍କାରେ ଭୂକମ୍ପ ଘଟିଥିବାବେଳେ କାଲିଫର୍ନିଆର ତାପମାତ୍ରା ୫୪ ଡିଗ୍ରୀ ସେଲସିୟସରେ ପହଞ୍ଚିଛି। ବାତ୍ୟା ଯୋଗୁଁ ସମଗ୍ର ଆମେରିକାରେ ୧୬୦୦ ରୁ ଅଧିକ ବିମାନ ବାତିଲ କରାଯାଇଛି।

ଏହା ବ୍ୟତୀତ ସ୍ପେନର ଜଙ୍ଗଲରେ ନିଆଁ ଲାଗିଯାଇଛି। ଅନ୍ୟପକ୍ଷରେ ଚାଇନାରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଏକ ସତର୍କ ସୂଚନା ଜାରି କରାଯାଇଛି। ଚାଇନାର କେତେକ ପ୍ରଦେଶରେ ସୋମବାର ତାପମାତ୍ରା ୫୦ ଡିଗ୍ରୀ ଅତିକ୍ରମ କରିଛି। ଏହି ପରିବର୍ତ୍ତନଗୁଡିକ ପାଇଁ ପାଣିପାଗ ବିଶେଷଜ୍ଞମାନେ ବିଶେଷ ଭାବରେ ଚିନ୍ତିତ ଅଛନ୍ତି।

ସ୍ପେନର କାନାରି ଦ୍ୱୀପପୁଞ୍ଜରେ ଅଗ୍ନିକାଣ୍ଡ ଯୋଗୁ ୪,୦୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ପ୍ରାୟ ୯,୮୦୦ ଏକର ଅଞ୍ଚଳରେ ଏହି ଅଗ୍ନିକାଣ୍ଡ ବ୍ୟାପିଛି। ଅଗ୍ନିକାଣ୍ଡରେ ଏପର୍ଯ୍ୟନ୍ତ ୧୨ ଘର ନଷ୍ଟ ହୋଇଯାଇଛି।

ଚାଇନାରେ ସାଇକ୍ଲୋନିକ ଝଡ ‘ତାଲିମ’ ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଚଳିତ ବର୍ଷର ଚତୁର୍ଥ ସାଇକ୍ଲୋନିକ ଝଡ ଦେଶର ଦକ୍ଷିଣ ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ଆଣିବ ବୋଲି ପୂର୍ବାନୁମାନ କରାଯାଇଛି।

ଜାପାନର ତାପମାତ୍ରା ରେକର୍ଡ ସ୍ତରକୁ ବୃଦ୍ଧି ପାଇବା ପରେ ଦେଶର ୪୭ ଟି ପ୍ରିଫେକ୍ଟର ମଧ୍ୟରୁ ୨୦ ଟିରେ ଏକ ଉତ୍ତାପ ଲହର ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଏଥି ସହିତ ପ୍ରବଳ ବର୍ଷା ଯୋଗୁ କେତେକ ଅଞ୍ଚଳରେ ଭୂସ୍ଖଳନ ଘଟିଛି। ଟୋକିଓ ସମେତ କେତେକ ସ୍ଥାନରେ ତାପମାତ୍ରା ପ୍ରାୟ ୪୦ ଡିଗ୍ରୀ ସେଲସିୟସକୁ ବୃଦ୍ଧି ପାଇଛି।

 

Share