୫ କୋଟିଙ୍କ ଜୀବନ ନେବା ଆଶଙ୍କା

ଲଣ୍ଡନ,୨୭ା୯: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ଦ୍ୱାରା ନାମିତ ଡିଜିଜ୍‌ ଏକ୍ସ କୋଭିଡ୍‌-୧୯ ତୁଳନାରେ ଅଧିକ ଭୟାବହ ମହାମାରୀର କାରଣ ହୋଇପାରେ ବୋଲି ବ୍ରିଟେନ୍‌ର ଜଣେ ସ୍ବାସ୍ଥ୍ୟ ବିଶେଷଜ୍ଞ କେଟ୍‌ ବିଙ୍ଗ୍‌ହାମ୍‌ କହିଛନ୍ତି। ସେ ୨୦୨୦ ମେ’ରୁ ଡିସେମ୍ବର ପର୍ଯ୍ୟନ୍ତ ବ୍ରିଟେନ୍‌ର ଭାକ୍ସିନ୍‌ ଟାସ୍କଫୋର୍ସ ଅଧ୍ୟକ୍ଷ ଥିଲେ। ତାଙ୍କ ମତରେ ନୂଆ ଭୂତାଣୁ ୧୯୧୯-୨୦ର ସ୍ପାନିସ୍‌ ଫ୍ଲୁ ଭଳି ଭୟାବହ ହୋଇପାରେ। ଡବ୍ଲ୍ୟୁଏଚ୍‌ଓ କହିବା ଅନୁଯାୟୀ, ଡିଜିଜ୍‌ ଏକ୍ସ ଏକ ନୂଆ ଭୂତାଣୁ, ଜୀବାଣୁ କିମ୍ବା ଫଙ୍ଗ୍‌ସ ହୋଇପାରେ, ଯାହାର କୌଣସି ଚିକିତ୍ସା ଜଣାନାହିଁ।
ସୂଚନାଯୋଗ୍ୟ, ସ୍ପାନିସ୍‌ ଫ୍ଲୁ ବିଶ୍ୱବ୍ୟାପୀ ୫ କୋଟି ଲୋକଙ୍କ ଜୀବନ ନେଇଥିଲା, ଯାହା ପ୍ରଥମ ବିଶ୍ୱଯୁଦ୍ଧ ମୃତ୍ୟୁସଂଖ୍ୟାର ୨ ଗୁଣ। ଏବେ ଅନେକ ଭୂତାଣୁ ଦେଖାଦେଲେଣି, ଯାହା ସେହିଭଳି ମୃତ୍ୟୁ ଘଟାଇପାରେ ବୋଲି ଆଶଙ୍କା କରାଯାଉଛି। ଡିଜିଜ୍‌ ଏକ୍ସ ବିପଦର ମୁକାବିଲା କରିବାକୁ ହେଲେ ସାରା ବିଶ୍ୱରେ ଗଣ ଟିକାକରଣ ଅଭିଯାନ ଚଳାଇବା ସହ ଏହି ଡୋଜ୍‌କୁ ରେକର୍ଡ ଥର ଦେବାକୁ ପଡ଼ିବ ବୋଲି ବିଙ୍ଗ୍‌ହାମ୍‌ କହିଛନ୍ତି। ତାଙ୍କ କହିବା ଅନୁଯାୟୀ ବୈଜ୍ଞାନିକମାନେ ୨୫ ଭୂତାଣୁ ପରିବାରକୁ ଚିହ୍ନଟ କରିଥିବାବେଳେ ୧୦ ଲକ୍ଷରୁ ଅଧିକ ଅନାବିଷ୍କୃତ ଭାରିଆଣ୍ଟ ରହିଛି, ଯାହାକି ଗୋଟିଏ ପ୍ରଜାତିରୁ ଅନ୍ୟକୁ ସଂକ୍ରମିତ ହୋଇପାରେ। କୋଭିଡ୍‌ରେ ୨ କୋଟିରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା। ବହୁ ସଂଖ୍ୟାରେ ଏହି ରୋଗରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ ଆରୋଗ୍ୟ ଲାଭ କରିଥିଲେ। ଡିଜିଜ୍‌ ଏକ୍ସ ମିଳିମିଳା ଭଳି ଦ୍ରୁତ ସଂକ୍ରାମକ ହୋଇଥିବାବେଳେ ଇବୋଲା ଭଳି ଏଥିରେ ମୃତ୍ୟୁହାର ଯଥେଷ୍ଟ ଅଧିକ। ବିଶ୍ୱର କୌଣସି ନା କୌଣସି ସ୍ଥାନରେ ଏହାର ପ୍ରତିରୂପ ରହିଛି ଓ ଖୁବ୍‌ଶୀଘ୍ର ଏଥିରେ କେହି ଆକ୍ରାନ୍ତ ହୋଇପାରନ୍ତି ବୋଲି ବିଙ୍ଗହାମ୍‌ ସତର୍କ କରାଇଛନ୍ତି।

Share