ଆଧୁନିକ ଦାସତ୍ୱ କବଳରେ ୫ କୋଟି

ଜେନେଭା,୧୪ା୯: ସଶସ୍ତ୍ର ସଂଘର୍ଷ, ଜଳବାୟୁ ପରିବର୍ତ୍ତନ, ବୈଶ୍ୱିକ ମହାମାରୀ ଆଦି ଯୋଗୁ ବିଶ୍ୱ ଅନେକ ଆହ୍ବାନର ସମ୍ମୁଖୀନ ହେଉଛି। ଏହା ଭିତରେ ଆଉ ଏକ ବଡ଼ ଚ୍ୟାଲେଞ୍ଜ ହୋଇ ଉଭା ହୋଇଛି ଆଧୁନିକ ଦାସତ୍ୱ। ଜାତିସଂଘର ଅନ୍ତର୍ଜାତୀୟ ଶ୍ରମ ସଙ୍ଗଠନ (ଆଇଏଲ୍‌ଓ) ତଥ୍ୟ ଅନୁସାରେ ଗତ ବର୍ଷ ଶେଷ ସୁଦ୍ଧା ୫ କୋଟି ଲୋକ ଆଧୁନିକ ଦାସତ୍ୱର ଶିକାର ହୋଇଛନ୍ତି। ଅନେକେ ଜୋର ଜବରଦସ୍ତି ମଜୁରି ଲାଗୁଥିବାବେଳେ ବହୁସଂଖ୍ୟାରେ ନାଗରିକ ବାଧ୍ୟ ହୋଇ ବିବାହ କରିଛନ୍ତି। ଗତ ୫ ବର୍ଷ ତୁଳନାରେ ଆଧୁନିକ ଦାସତ୍ୱ ହାର ୨୫% ବୃଦ୍ଧି ପାଇଛି।
ବହୁସଂଖ୍ୟାରେ ଲୋକଙ୍କୁ ଯୌନ ଶୋଷଣ ବ୍ୟବସାୟରେ ସାମିଲ କରାଯିବାକୁ ନେଇ ଆଇଏଲ୍‌ଓ ଚିନ୍ତା ବ୍ୟକ୍ତ କରିଛି। ଗରିବ, ଅସହାୟ ତଥା ଶ୍ରମିକ ଶ୍ରେଣୀର ଲୋକଙ୍କ ମଧ୍ୟରୁ ପ୍ରତି ୪ ଜଣରେ ଜଣଙ୍କୁ ଏହି ବ୍ୟବସାୟରେ ବଳପୂର୍ବକ ଲଗାଯାଇଛି। ସେମାନଙ୍କ ମଧ୍ୟରେ ଅଧିକାଂଶ ହେଉଛନ୍ତି ମହିଳା ଏବଂ ଶିଶୁ। ୨୦୨୧ ଶେଷ ସୁଦ୍ଧା ପ୍ରାୟ ୨୮ ନିୟୁତ ଲୋକଙ୍କୁ ଜବରଦସ୍ତି ଶ୍ରମିକ କାମରେ ଲଗାଯାଇଛି। ସେମାନଙ୍କ ମଧ୍ୟରେ ୩.୩ ନିୟୁତ ହେଉଛନ୍ତି ଶିଶୁ। ୨୨ ନିୟୁତଙ୍କ ବାଧ୍ୟତାମୂଳକ ବିବାହ କରାଯାଇଛି। ବାହାଘର ବେଳେ ଏହି ସଂଖ୍ୟାର ଦୁଇ-ତୃତୀୟାଂଶଙ୍କ ବୟସ ୧୫ରୁ କମ୍‌ ରହିଥିଲା। ଏଥିପାଇଁ କରୋନା ମହାମାରୀ ଅଧିକ ମାତ୍ରାରେ ଦାୟୀ। ଏହାସହ ଯୁଦ୍ଧ ଯୋଗୁ ବହୁସଂଖ୍ୟାରେ ଲୋକ ସେମାନଙ୍କ ଘରଦ୍ୱାର ଛାଡ଼ି ଅସହାୟ ହୋଇପଡ଼ିଛନ୍ତି। ଜଳବାୟୁ ପରିବର୍ତ୍ତନ ଜନିତ ବିପର୍ଯ୍ୟୟ ମଧ୍ୟ ଏଥିପାଇଁ ଅନେକ ମାତ୍ରାରେ ଦାୟୀ ବୋଲି ଆଇଏଲ୍‌ଓ କହିଛି।

Share