Categories: ବାଣିଜ୍ୟ

ସୋଆରେ ୫ଦିନିଆ ଜାତୀୟସ୍ତରୀୟ ପ୍ରଶିକ୍ଷଣ ଶିବିର

ଭୁବନେଶ୍ୱର,୧୦।୮: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଦ୍ୱାରା ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନିକାଲ ଏଜୁକେଶନ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌) ପରିସରରେ ଷ୍ଟାଟିଷ୍ଟିକାଲ ମେଶିନ ଲର୍ନିଂ ସମ୍ପର୍କିତ ଏକ ୫ ଦିନିଆ ଜାତୀୟ ସ୍ତରୀୟ ପ୍ରଶିକ୍ଷଣ ଶିବିର ନିକଟରେ ଆରମ୍ଭ ହୋଇଯାଇଛି। ସେହିଭଳି ସେଣ୍ଟର ଅଫ୍‌ ଡେଟା ସାଇନ୍ସ ଏବଂ ସେଣ୍ଟର ଅଫ୍‌ ଆର୍ଟିଫିସିଆଲ୍‌ ଇନ୍‌ଟେଲିଜେନ୍ସ ଆଣ୍ଡ ମେଶିନ ଲର୍ନିଂ ଦ୍ୱାରା ପରିକଳ୍ପନା କରାଯାଇଥିବା ଏହି ନ୍ୟାଶନାଲ ଲେଭେଲ୍‌ ଶର୍ଟ ଟର୍ମ ଟ୍ରେନିଂ ପ୍ରୋଗ୍ରାମ ଅନ୍‌ ଷ୍ଟାଟିଷ୍ଟିକାଲ୍‌ ମେଶିନ ଲର୍ନିଂ (ଏନ୍‌ଏଲ୍‌ଏସ୍‌ଟିଟିପି-୨୦୨୩) ପ୍ରୋଗ୍ରାମ ଅନେକ ଆଗ୍ରହୀ ଶିକ୍ଷାର୍ଥୀଙ୍କୁ ଆକର୍ଷିତ କରିଛି। ଏହି ପରିପ୍ରେକ୍ଷୀରେ ଆଇଆଇଆଇଟି ଖଡଗପୁରର ଗଣିତ ବିଭାଗ ଅଧୀନ ସେଣ୍ଟର ଫର୍‌ ଏକ୍ସିଲେନ୍ସ ଇନ୍‌ ଆର୍ଟିଫିସିଆଲ୍‌ ଇନ୍‌ଟେଲିଜେନ୍ସରେ ଡ. ବୁଦ୍ଧାନନ୍ଦ ବାନାର୍ଜୀ ଏବଂ ଏମ୍‌ଏନ୍‌ଆଇଟି ଜୟପୁର ସ୍ଥିତ କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ବିଭାଗର ଡ. ଦୀପକ ରଞ୍ଜନ ନାୟକ ବିଶେଷଜ୍ଞ ଭାବେ ଯୋଗଦେଇଥିବା ପ୍ରୋଗ୍ରାମ ଚେୟାର ପ୍ରଫେସର ଦେବାହୁତି ମିଶ୍ର ମତପ୍ରକାଶ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ଅନୁଷ୍ଠାନ ଓ କ୍ଷେତ୍ରର ପ୍ରାୟ ୧୨୫ ଜଣ ଅଂଶଗ୍ରହଣକାରୀ ଯୋଗଦେଇଥିବାରୁ ଆମେ ବେଶ୍‌ ଉତ୍ସାହିତ। ଏହା ବିଶ୍ୱସ୍ତରର ଶିଳ୍ପ କ୍ଷେତ୍ରରେ ହେଉଥିବା ପରିବର୍ତ୍ତନ ଓ ଷ୍ଟାଟିଷ୍ଟିକାଲ୍‌ ମେଶିନ ଲର୍ନିଂର ଗୁରୁତ୍ୱ ଓ ପ୍ରାସଙ୍ଗିକତାକୁ ପ୍ରତିଫଳନ କରୁଛି ବୋଲି ପ୍ରଫେସର ମିଶ୍ର କହିଥିଲେ। ଉଦ୍‌ଘାଟନୀ ସମାରୋହରେ ଡ. ବାନାର୍ଜୀ ଅଂଶଗ୍ରହଣକାରୀ ଓ ଗବେଷଣା କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷଙ୍କୁ ଷ୍ଟାଟିଷ୍ଟିକାଲ୍‌ ମେଶିନ ଲର୍ନିଂର ଭବିଷ୍ୟତ ସମ୍ଭାବନା ବିଷୟରେ ଅବଗତ କରାଇଥିଲେ। ଏହି ଅବସରରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବହୁବିଧ ଗବେଷଣା କ୍ଷେତ୍ରରେ ମେଶିନ ଲର୍ନିଂ ଉପରେ ଗୁରୁତ୍ୱାରୋପ କରିବା ସହ ଏହି ପ୍ରଶିକ୍ଷଣ ଅଧିବେଶନରୁ ଲାଭବାନ ହେବା ପାଇଁ ଶିକ୍ଷାର୍ଥୀମାନଙ୍କୁ ଉତ୍ସାହିତ କରିଥିଲେ। ସେହିଭଳି ଆଇଟିଇଆର୍‌ର ଡିନ୍‌ ପ୍ରଫେସର ପି.କେ.ସାହୁ କମ୍ପ୍ୟୁଟର ସାଇନ୍ସ ଓ ଇଞ୍ଜିନିୟରିଂ ବିଭାଗ ଓ ସେଣ୍ଟର ଅଫ୍‌ ଆର୍ଟିଫିସିଆଲ ଇନ୍‌ଟେଲିଜେନ୍ସ ଆଣ୍ଡ ମେଶିନ ଲର୍ନିଂ ପକ୍ଷରୁ ଆୟୋଜିତ ଏହି ସ୍ବଳ୍ପକାଳୀନ ପ୍ରଶିକ୍ଷଣ ଶିବିରକୁ ଉଚ୍ଚ ପ୍ରଶଂସା କରିଥିଲେ। ସେହିପରି ପ୍ରଫେସର ମିଶ୍ର କହିଥିଲେ, ଏହି ପ୍ରଶିକ୍ଷଣ ଶିବିରର ଉଦ୍ଦେଶ୍ୟ ହେଉଛି, ଷ୍ଟାଟିଷ୍ଟିକାଲ୍‌ ମେଶିନ ଲର୍ନିଂର ମୌଳିକ ତତ୍ତ୍ୱକୁ ସ୍ପଷ୍ଟ କରିବା ଏବଂ ଏକ ସୁଦୃଢ଼ ତାତ୍ତ୍ୱିକ ଭିତ୍ତି ନିର୍ମାଣ କରିବା। ଉକ୍ତ କାର୍ଯ୍ୟକ୍ରମର ଆବାହକ ଡ. ଅଭିଜିତ ସୂତ୍ରଧର ଧନ୍ୟବାଦ ଅର୍ପଣ କରିବା ଅବସରରେ କାର୍ଯ୍ୟକ୍ରମର ଅର୍ଗାନାଇଜିଂ ଚେୟାର ଡ. ମନୋରଞ୍ଜନ ପାଢ଼ୀ, ଅର୍ଗାନାଇଜିଂ କୋ-ଚେୟାର ଡ.ଅଳକାନନ୍ଦ ତ୍ରିପାଠୀ ଓ ଡ. ସ୍ବାଧୀନ କୁମାର ବରିସାଲ୍‌ଙ୍କ ସମେତ ଅନ୍ୟମାନଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ।

Share