୫ଦିନ କାଳବୈଶାଖୀ, ବର୍ଷା ସମ୍ଭାବନା

ଭୁବନେଶ୍ୱର, ୧୭।୫(ବ୍ୟୁରୋ): ରାଜ୍ୟରେ ଆସନ୍ତା ୫ଦିନ ପର୍ଯ୍ୟନ୍ତ କାଳବୈଶାଖୀ ସହ ବର୍ଷା ହେବ। ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ନବରଙ୍ଗପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, କନ୍ଧମାଳ, କଳାହାଣ୍ଡି, ମୟୂରଭଞ୍ଜ, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଆଦି ଜିଲାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ଏଥିସହିତ କାଳବୈଶାଖୀ ମଧ୍ୟ ହେବ। ବାକି ସବୁ ଜିଲାରେ ପାଗ ଶୁଖିଲା ରହିବ। ତେବେ ସୋମବାର ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, ନବରଙ୍ଗପୁର, ସୁନ୍ଦରଗଡ଼, ମୟୂରଭଞ୍ଜ ଓ କେନ୍ଦୁଝର ଆଦି ୮ଟି ଜିଲାରେ କାଳବୈଶାଖୀ ସହ ବଜ୍ରପାତ ହେବ। ସେଥିପାଇଁ ଏସବୁ ଜିଲାକୁ ୟେଲୋ ୱାର୍ନିଂ ଜାରି କରିଛି ପାଣିପାଗ କେନ୍ଦ୍ର। ବର୍ଷା ସତ୍ତ୍ୱେ ରାଜ୍ୟରେ ଏବେବି ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ରବିବାର ୩ଟି ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ ଥିଲା। ସୋନପୁରରେ ସର୍ବାଧିକ ୪୧.୨ ଡିଗ୍ରୀ ଥିବାବେଳେ ବୌଦ୍ଧ ୪୦.୫ ଓ ଟିଟିଲାଗଡ଼ର ତାପମାତ୍ରା ୪୦.୨ ଡିଗ୍ରୀ ରହିଥିଲା। ସେହିପରି ମାଲକାନଗିରି ୩୯.୫, ସମ୍ବଲପୁର ୩୯.୨, ଅନୁଗୋଳ ୩୯.୧, ସୁନ୍ଦରଗଡ଼ ୩୯, ବଲାଙ୍ଗୀର ୩୮.୮, ତାଳଚେର ୩୮.୭, ଫୁଲବାଣୀ ୩୮.୫, ଭବାନୀପାଟଣା ୩୮.୪, ହୀରାକୁଦ ୩୮.୩ ଡିଗ୍ରୀ ରେକର୍ଡ କରାଯାଇଛି।

Share