Categories: ଜାତୀୟ

ରକ୍ତାକ୍ତ ସଂଘର୍ଷ: ୫ ମୃତ, ଅନେକ ଆହତ

ଭୋପାଳ,୧୪।୯: ମଧ୍ୟପ୍ରଦେଶର ଦଟିଆ ଜିଲା ରେ ପଶୁ ଚରାଇବା ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଛି। ଏହି ସଂଘର୍ଷରେ ଗୁଳି ବିନିମୟ ହୋଇ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ରୁ ଅଧିକ ଆହତ ହୋଇଥିଲେ। ରାଜ୍ୟ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ଦଟିଆ ଜିଲାର ଜଣେ ବିଧାୟକ।
ପୋଲିସର ସୂଚନାନୁସାରେ, ସିଭିଲ ଲାଇନ ପୋଲିସ ଷ୍ଟେଷନ ଅଞ୍ଚଳର ରେଡା ଗାଁର ଡାଙ୍ଗି ଏବଂ ପାଲ ସମ୍ପ୍ରଦାୟର ଦୁଇ ପରିବାର ମଧ୍ୟରେ କ୍ଷେତରେ ପ୍ରବେଶ କରୁଥିବା ପଶୁକୁ ନେଇ ବିବାଦ ଲାଗି ରହିଥିଲା। ଏଥିପାଇଁ ଗାଁରେ ଏକ ପଞ୍ଚାୟତ ଡକାଯାଇଥିଲା। ଏହି ସମୟ ମଧ୍ୟରେ ପ୍ରକାଶ ଡାଙ୍ଗି ଏବଂ ପ୍ରୀତମ ପାଲଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ବିବାଦ ଏତେ ବଢିଯାଇଥିଲା ଯେ ଏହା ଗୁଳି ବିନିମୟରେ ପହଞ୍ଚିଥିଲା। ଏହି ଗୁଳି ବିନିମୟରେ ଉଭୟ ପକ୍ଷରୁ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତ ଲୋକଙ୍କୁ ଡାକ୍ତରଖାନା ପଠାଯାଇଛି। ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି।
ଏହି ପ୍ରସଙ୍ଗରେ ରାଜନୀତି ମଧ୍ୟ ଆରମ୍ଭ ହୋଇଛି। ରାଜ୍ୟ କଂଗ୍ରେସ ସଭାପତି କମଲ ନାଥ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ପ୍ରଶ୍ନ ଉଠାଇ କହିଛନ୍ତି ଯେ ମଧ୍ୟପ୍ରଦେଶରେ ଆଇନ ଶୃଙ୍ଖଳା ଭାଙ୍ଗି ପଡିଛି। ଆଇନ ଶୃଙ୍ଖଳା ପରିଚାଳନା କରୁଥିବା ଗୃହମନ୍ତ୍ରୀଙ୍କ ଜିଲାରେ ଏଭଳି ଘଟଣା ନିନ୍ଦନୀୟ।

Share