Categories: ଜାତୀୟ

୩ ବର୍ଷର ଶିଶୁକନ୍ୟାଙ୍କୁ କ୍ଷତବିକ୍ଷତ କଲେ ୫ ବୁଲା କୁକୁର…

ଭୋପାଳ, ୨।୧ : ବୁଲା କୁକୁରଙ୍କ ଦୌରାତ୍ମ୍ୟ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ବୃଦ୍ଧି ପାଇବାରେ ଲାଗିଛି। ସ୍ଥାନୀୟ ବାଗସଓ୍ବେନିଆର ଅଞ୍ଜଳି ବିହାର ଫେଜ୍‌-୨ରେ ତିନି ବର୍ଷର ନିରୀହ ଶିଶୁକନ୍ୟାଙ୍କ ଉପରେ ୫ ବୁଲା କୁକୁର ଆକ୍ରମଣ କରି କ୍ଷତବିକ୍ଷତ କରିଛନ୍ତି। ଏହି ଆକ୍ରମଣ ଅଭିଯୋଗକୁ ମଧ୍ୟପ୍ରଦେଶ ମାନବ ଅଧିକାର ଆୟୋଗ ଗ୍ରହଣ କରିଛି। ଶନିବାର ସନ୍ଧ୍ୟାରେ ଶିଶୁକନ୍ୟା ଜଣକ ଘର ବାହାର ରାସ୍ତାରେ ବୁଲୁଥିବାବେଳେ ଏଭଳି ଅଭାବନୀୟ ଘଟଣା ଘଟିଛି।

ଶିଶୁକନ୍ୟାଙ୍କ ବାପା ଏକ ନିର୍ମାଣଧୀନ କୋଠାରେ ଶ୍ରମିକ ଭାବରେ କାର୍ଯ୍ୟ କରନ୍ତି। ଶିଶୁକନ୍ୟା ଜଣଙ୍କ କୋଠା ନିକଟରେ ଖେଳୁଥିଲା। ସେଠାରେ ହଠାତ୍‌ ଏକ ବୁଲା କୁକୁର ଦଳ ପହଞ୍ଚି ତାଙ୍କୁ ଆକ୍ରମଣ କରିଥିଲେ। ତାଙ୍କର ମୁଣ୍ଡ, କାନ ଏବଂ ହାତରେ ଗଭୀର କାମୁଡ଼ା କ୍ଷତ ସୃଷ୍ଟି ହୋଇଛି।

ବର୍ତ୍ତମାନ ଡାକ୍ତରଖାନାରେ ଶିଶୁକନ୍ୟାଙ୍କର ଚିକିତ୍ସା ଚାଲିଛି। ଏହି ଘଟଣାକୁ ଗୁରୁତର ବିଷୟ ଭାବେ ଗ୍ରହଣ କରି ମଧ୍ୟପ୍ରଦେଶ ମାନବ ଅଧିକାର ଆୟୋଗ ଆସନ୍ତା ସାତ ଦିନ ମଧ୍ୟରେ ଭୋପାଳ ମ୍ୟୁନିସିପାଲିଟି କର୍ପୋରେଶନ କମିଶନର ଏବଂ ଭୋପାଳ ଜିଲା ପ୍ରଶାସନର ସ୍ବାସ୍ଥ୍ୟ ବିଭାଗର ଅଧିକାରୀଙ୍କଠାରୁ ଉତ୍ତର ମାଗିଛନ୍ତି। ଆୟୋଗଙ୍କ ତରଫରୁ ମ୍ୟୁନିସିପାଲିଟି କର୍ପୋରେଶନ ଏବଂ କମିଶନରଙ୍କୁ କେତେକ ପଏଣ୍ଟଗୁଡିକ ଉପରେ ବିସ୍ତୃତ ସୂଚନା ଦେବାକୁ କହିଛନ୍ତି।

ସେଗୁଡ଼ିକ ହେଉଛି, ବୁଲା କୁକୁର ଜନ୍ମ ନିୟନ୍ତ୍ରଣ ନିୟମ ୨୦୦୧ ଅଧୀନରେ ନିଆଯାଇଥିବା କାର୍ଯ୍ୟ ବିଷୟରେ ସୂଚନା। ୨୦୨୧ରେ କେତେ ବୁଲା କୁକୁର ଷ୍ଟେରଲାଇଜଡ୍‌ ହୋଇଛନ୍ତି। ଏହାର ସୂଚନା ୱାର୍ଡ ଅନୁସାରେ। କେତେ ଜଳାତଙ୍କ କୁକୁର ସହର ବାହାରକୁ ନିଆଯାଇଛି। ନିୟମ ଅନୁଯାୟୀ ମନିଟରିଂ କମିଟିର ମାସିକ ବୈଠକର ନକଲ। ବୁଲା କୁକୁର କାମୁଡ଼ିବା ଘଟଣାର ବିବରଣୀ ଏବଂ ପ୍ରତ୍ୟେକ ଘଟଣାରେ ନିଗମ ଦ୍ୱାରା ଗ୍ରହଣ କରାଯାଇଥିବା ପଦକ୍ଷେବ। ବର୍ତ୍ତମାନ ଘଟଣାରେ ପୀଡିତା ଶିଶୁକନ୍ୟାଙ୍କ ପାଇଁ ପ୍ରଦାନ କରାଯାଇଥିବା କ୍ଷତିପୂରଣ ପରିମାଣ।

ଏବେ ଏହାର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି।

Share