କ୍ୱିଭ୍/ମସ୍କୋ,୨୪।୨ : ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ ଆରମ୍ଭ କରିଥିବା ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ହେଉଛି। ବିଦ୍ରୌହୀଙ୍କ ଦଖଲରେ ଥିବା ୟୁକ୍ରେନର ପୂର୍ବ ଡୋନେସ୍କ ସହରରେ ପାଞ୍ଚ ଥର ବିସ୍ଫୋରଣର ଶୁଣିବାକୁ ମିଳିଛି। ଏହା ପରେ ଚାରିଟି ସାମରିକ ଟ୍ରକ ଘଟଣାସ୍ଥଳକୁ ଯାଇଥିବା କୁହାଯାଉଊଛି।
ନ୍ୟୁଜ ଏଜେନ୍ସି ରଏଟର୍ସର ଜଣେ ପ୍ରତ୍ୟକ୍ଷଦର୍ଶୀ ଏହି ସୂଚନା ପ୍ରଦାନ କରିଛନ୍ତି। ରୁଷିଆର ଆକ୍ରମଣକୁ ଦୃଷ୍ଟିରେ ରଖି ୟୁକ୍ରେନ ଏହାର କିଛି ବିମାନବନ୍ଦର ବନ୍ଦ କରିଦେଇଛି।
ଏନେଇ ଜାତିସଂଘର ଚିନ୍ତା ବଢ଼ିବାରେ ଲାଗିଛି। ମିଳିତ ଜାତିସଂଘ ସୁରକ୍ଷା ପରିଷଦ ପକ୍ଷରୁ ଏନେଇ ଜରୁରୀ ବୈଠକ ଡକାଯାଇଛି। କୂଟନୈତିକ ସୂତ୍ରରୁ ପ୍ରକାଶ ଯେ ଜାତିସଂଘ ସୁରକ୍ଷା ପରିଷଦ ତିନି ଦିନ ମଧ୍ୟରେ ଦ୍ୱିତୀୟ ଜରୁରୀକାଳୀନ ଅଧିବେଶନ କରିବାକୁ ଯାଉଛି। ଏଥିରେ ୟୁକ୍ରେନ ସଙ୍କଟ ଉପରେ ଆଲୋଚନା ହେବ। ଏହି ବୈଠକ ଗୁରୁବାର ଦିନ ଭାରତୀୟ ସମୟ ସକାଳ ୮ ଟାରେ ଅନୁଷ୍ଠିତ ହେବ।