ବିପଦରେ ଶୀତଳପୁରର ୫ ପରିବାର

ଆରଡ଼ି, ୨୬।୩(ଡି.ଏନ.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ଆରଡ଼ି ପଞ୍ଚାୟତର ଶୀତଳପୁର ନିକଟରେ ସାଳନ୍ଦୀ ନଦୀର ସୁରକ୍ଷାବନ୍ଧ ଶୁକ୍ରବାର ପ୍ରାୟ ୭୦ ଫୁଟ୍‌ ଧସିଯାଇଛି। ପଥରପ୍ୟାକିଂ କାର୍ଯ୍ୟ ଚାଲିଥିବା ବେଳେ ସୁରକ୍ଷାବନ୍ଧ ଧସି ନଦୀଗର୍ଭକୁ ଚାଲିଯାଇଛି। ଏପରିକି ନଦୀକୂଳରେ ଥିବା ୧୦ ପରିବାର ମଧ୍ୟରୁ ୫ଜଣଙ୍କ ଘର ଚଟାଣ ଦବିଯିବା ସହ କାନ୍ଥରେ ଫାଟ ସୃଷ୍ଟି ହୋଇଛି। ଏଥିସହ ୨ଟି ଗୋରୁ ଗୁହାଳ ମଧ୍ୟ ନଦୀ ଆଡ଼କୁ ଢଳି ପଡ଼ିଛି। ଅମାବାସ୍ୟା ତିଥିରେ ନଦୀ ଜୁଆରିଆ ରହୁଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ଅନୁମାନ କରାଯାଉଛି। ତେବେ ୫ ପରିବାରର ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି।
ପ୍ରତିବର୍ଷ ଏଭଳି ସମସ୍ୟା ଦେଖାଦେଉଥିବା ବେଳେ ଦୁଇବର୍ଷ ମଧ୍ୟରେ ପ୍ରାୟ ୩ ଥର ନଦୀ ସୁରକ୍ଷାବନ୍ଧ ଧସିବା ଜଳସେଚନ ବିଭାଗ ଅଧିକାରୀଙ୍କ ନିଦ ହଜାଇ ଦେଇଛି। ଏହି ୨ ବର୍ଷ ଭିତରେ ପଥରପ୍ୟାକିଂ କାର୍ଯ୍ୟ ଚାଲୁଥିବା ବେଳେ ନଦୀ ପ୍ରାୟ ୧୫ ଫୁଟ୍‌ ଗଁା ଆଡ଼କୁ ମାଡ଼ି ଆସିଛି। ଯେଉଁ ସୁରକ୍ଷାବନ୍ଧ ନଦୀକୁ ଧସିଛି ତାହା ଗ୍ରାମରାସ୍ତା ହୋଇଥିବାରୁ ଲୋକଙ୍କ ଯିବାଆସିବାରେ ବାଧା ଉପୁଜିଛି। ଏଥିସହ ଉକ୍ତ ରାସ୍ତା ଦେଇ ପିଲାମାନେ ବିଦ୍ୟାଳୟକୁ ଯାଇଥାନ୍ତି। ଏହା ଧସିବା ଫଳରେ ସେମାନେ ଅସୁବିଧାର ସମ୍ମୁଖୀନ ହେବା ଆଶଙ୍କା ପ୍ରକାଶ ପାଇଛି। ଏତଦ୍‌ବ୍ୟତୀତ କୁମ୍ଭୀର ଭୟରେ ସୁରକ୍ଷାବନ୍ଧ ପାର୍ଶ୍ୱରେ ଗ୍ରାମବାସୀ ବାଉଁଶ ପୋତି ଜାଲ ବାନ୍ଧିଥିଲେ। ତାହା ମଧ୍ୟ ନଦୀଗର୍ଭକୁ ଚାଲିଯାଇଛି। ଫଳରେ ପୁଣି ନଦୀବନ୍ଧ ଧସିବା ଆଶଙ୍କାରେ ଗ୍ରାମବାସୀ ଭୟଭୀତ ହୋଇପଡ଼ିଛନ୍ତି। ତେବେ ଶନିବାର ଜଳସେଚନ ବିଭାଗର ଯାଜପୁର ଡିଭିଜନ ଅଧୀକ୍ଷଣ ଯନ୍ତ୍ରୀ ଶରତ ଚନ୍ଦ୍ର ଘଡ଼େଇ, ଉପଖଣ୍ଡ ଅଧିକାରୀ ବିଜୟ କୁମାର ସେଠୀ ଓ କନିଷ୍ଠ ଯନ୍ତ୍ରୀ କିଶୋର ଦାସ ସୁରକ୍ଷା ବନ୍ଧ ଧସିଥିବା ସ୍ଥାନ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଅଧିକାରୀମାନେ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ସୁରକ୍ଷାବନ୍ଧ ଧସିଥିବା ସ୍ଥାନରେ ପଥରପ୍ୟାକିଂ କାର୍ଯ୍ୟ ଚାଲୁ ରହିବ। ଏଥିସହ ପଥରପ୍ୟାକିଂ ସ୍ଥାନ ଉପରେ ନିତିଦିନିଆ ରାସ୍ତା ଗ୍ରାମବାସୀଙ୍କ ପରାମର୍ଶରେ କରାଯିବ ଓ ସାଳନ୍ଦୀ ନଦୀ ପାଖ ଗ୍ରାମପାର୍ଶ୍ୱରେ ୨ଶହ ମିଟର ବ୍ୟବଧାନରେ ୨ଟି ସ୍ପର ନିର୍ମାଣ ହେବ ବୋଲି ଯନ୍ତ୍ରୀ କହିଛନ୍ତି।