ତେଲ ନଦୀ ପୋଲ ଉପରେ ୫ ଫୁଟର ବନ୍ୟାଜଳ, କେନ୍ଦୁଝର-ମୟୂରଭଞ୍ଜ ଯୋଗାଯୋଗ ବିଚ୍ଛିନ୍ନ

ପାଟଣା,୧୬ା୭(ବୀରକିଶୋର ଦାଶ): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ଦାମାହୁଦା ପଞ୍ଚାୟତ କୁମୁଳା ବାହାଳୀ ନିକଟରେ ଥିବା ତେଲ ନଦୀ ପୋଲ ଉପରେ ରବିବାର ସକାଳୁ ୫ ଫୁଟର ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଉଭୟ କେନ୍ଦୁଝର ଓ ମୟୂରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଉପରମୁଣ୍ଡ ଶିମିଳିପାଳ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁ ତେଲନଦୀ ଦେଇ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ପୋଲ ଉପରେ ୫ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି। ଫଳରେ କେନ୍ଦୁଝର ଜିଲାର ସାହାରପଡ଼ା ବ୍ଲକରୁ ମୟୂରଭଞ୍ଜ ଜିଲାର ଠାକୁରମୁଣ୍ଡାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଉଭୟ ପାର୍ଶ୍ୱରେ ଶହ ଶହ ସଂଖ୍ୟକ ଗାଡ଼ିମୋଟର ଅଟକି ରହିଛି। ଯାହା ଫଳରେ ଯାତାୟାତ ବ୍ୟାହତ ହୋଇଛି। ଲଗାଣ ବର୍ଷା ଯୋଗୁ ଦାମହୁଦା ପଞ୍ଚାୟତ ଅଞ୍ଚଳରେ ଅନେକ କଚ୍ଚା ଘର ଭାଙ୍ଗିଥିବା ସୂଚନା ମିଳିଥିବା ବେଳେ ଘୋଳକୁଣ୍ଡ ତେଲ ନଦୀର ପୋଲ ଉପରେ ୫ଫୁଟର ବନ୍ୟାଜଳ ପ୍ରବାହିତ ହେଉଥିବାରୁ ବେଲସରେଇ ଓ ଘୋଳକୁଣ୍ଡ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି।