କାଗଜରେ ୫ ଫୁଟ୍‌ର ଗଣେଶ ମୂର୍ତ୍ତି

ରାଇରଙ୍ଗପୁର,୧୮ା୯ (ମନୋରଞ୍ଜନ ତିରିଆ): ମଙ୍ଗଳବାର ଶ୍ରୀଗଣେଶ ଚତୁର୍ଥୀ। ବିଭିନ୍ନ କ୍ଲବ୍‌, ସାହି ପକ୍ଷରୁ ଗଣେଶଙ୍କ ପ୍ରତିମୂର୍ତ୍ତି ନିର୍ମାଣ ଚାଲିଛି। ସାଧାରଣତଃ ବିଭିନ୍ନ ଶିକ୍ଷାନୁଷ୍ଠାନ ବିଦ୍ୟାଳୟ, ମହାବିଦ୍ୟାଳୟରେ ପୂଜା ପାଉଥିବା ଗଣେଶଙ୍କ ମୂର୍ତ୍ତି ମାଟି, ନଡ଼ାରେ ନିର୍ମିତ ହୋଇଥାଏ। ଏହାକୁ ପୂଜା ପରେ ନିକଟସ୍ଥ ପୋଖରୀ, ନଦୀନାଳ ଆଦିରେ ବିସର୍ଜନ କରାଯାଇଥାଏ। ଏଥିରେ ବିଭିନ୍ନ ପ୍ରକାର ରାସାୟନିକ ପ୍ରଲେପ ଦିଆଯାଇଥିବାରୁ ଜଳ ପ୍ରଦୂଷଣ ହୋଇଥାଏ। ରାଇରଙ୍ଗପୁର ସହରର ଜଣେ କଲେଜ ଛାତ୍ରୀ ସୁପ୍ରିୟା ବାରିକ ପ୍ରଦୂଷଣ ରୋକିବା ପାଇଁ ନିଆରା ପ୍ରୟାସ କରିଛନ୍ତି। ସେ କାଗଜରେ ୫ ଫୁଟ୍‌ର ଶ୍ରୀଗଣେଶଙ୍କ ମୂର୍ତ୍ତି ନିର୍ମାଣ କରି ଚର୍ଚ୍ଚାକୁ ଆସିଛନ୍ତି।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ରାଇରଙ୍ଗପୁରସ୍ଥିତ ବାସଭବନଠାରୁ ମାତ୍ର ୫୦୦ ମିଟରେ ଦୂର ବାଇଦାପୋଷି କଲୋନୀସାହିର ସଞ୍ଜୀବ କୁମାର ବାରିକଙ୍କ ବଡ଼ଝିଅ ସୁପ୍ରିୟା। ଚଳିତ ବର୍ଷ ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟରୁ +୩ କଳାରେ ସ୍ନାତକ ପାସ୍‌ କରିଛନ୍ତି। ଗଣେଶ ପୂଜାକୁ ଲକ୍ଷ୍ୟ ରଖି ପ୍ରାୟ ଏକ ମାସ ହେବ କାଗଜରେ ଗଣେଶ ମୂର୍ତ୍ତି ତିଆରି କରିଛନ୍ତି। ମୂର୍ତ୍ତି ନିର୍ମାଣ କାମରେ ଅବସର ସମୟରେ ତାଙ୍କର ସାନଭଉଣୀ ସ୍ନେହା ବାରିକ ସହଯୋଗ କରିଥିବା କହିଛନ୍ତି। ମଇଦା, ପୁଟି, ରଙ୍ଗ, ସାମାନ୍ୟ ଟିକିଏ କପଡ଼ାକୁ ଛାଡ଼ିଦେଲେ ପ୍ରତିମୂର୍ତ୍ତିର ୯୫ ପ୍ରତିଶତ ଅଂଶରେ କେବଳ କାଗଜ ବ୍ୟବହାର କରାଯାଇଛି।