ପ୍ରଶାସନିକ ସେବାରେ ରାୟଗଡ଼ାରୁ ବାଜି ମାରିଲେ ୫, ଛୁଟୁଛି ଶୁଭେଚ୍ଛାର ସୁଅ

ରାୟଗଡ଼ା,୧୯ା୧୦(ଆଶିଷ ରଞ୍ଜନ ପଣ୍ଡା): ପ୍ରଶାସନିକ ସେବାରେ ରାୟଗଡ଼ା ଜିଲାରୁ ୫ ଜଣ କୃତକାର୍ଯ୍ୟ ହୋଇଥିବା ଜଣାପଡ଼ିଛି। ସେମାନେ ହେଲେ ଦୀପାରାଣୀ ବେହେରା, ପଙ୍କଜ କୁମାର ମାଝୀ, ଲକ୍ଷେଶ୍ୱରୀ ମାଝୀ, ମହେଶ୍ୱର ପାଲକା, ଅନାଦି ଚରଣ ଶବର। ରାୟଗଡ଼ା ସହର ଅନ୍ତର୍ଗତ ହାତୀପଥର ରୋଡ୍‌ର ରମେଶ ଚନ୍ଦ୍ର ବେହେରାଙ୍କ ଝିଅ ଦୀପାରାଣୀ ବେହେରା ୪୩୭ ନମ୍ବର ର଼୍ୟାଙ୍କ ରଖି କୃତକାର୍ଯ୍ୟ ହୋଇଛନ୍ତି। ସେ ରାୟଗଡ଼ାଠାରେ ରାଜସ୍ବ ବିଭାଗରେ କନିଷ୍ଠ ସହାୟକ ଭାବେ କାର୍ଯ୍ୟରତ ଅଛନ୍ତ। କାଶୀପୁର ବ୍ଲକ ମଇଲିଗୁଡ଼ା ଗ୍ରାମର ପଙ୍କଜ କୁମାର ମାଝୀ ୬୬୨ ର଼୍ୟାଙ୍କ ରଖି କୃତକାର୍ଯ୍ୟ ହୋଇଛନ୍ତି । ସେ ପୂର୍ବତନ ବିଧାୟକ ବିଭୀଷଣ ମାଝୀଙ୍କ ପୁଅ ଅଟନ୍ତି। ବର୍ତ୍ତମାନ ଓ ପୋଲିସ ବିଭାଗରେ ଡିଏସ୍‌ପି ଭାବେ ପଙ୍କଜ କାର୍ଯ୍ୟରତ ଅଛନ୍ତି। ସେହିଭଳି କାଶୀପୁର ବ୍ଲକ ମଇଲିଗୁଡ଼ା ଗ୍ରାମର ମଦନ ମାଝୀଙ୍କ ଝିଅ ଲକ୍ଷେଶ୍ୱରୀ ମାଝୀ ୬୪୭ ର଼୍ୟାଙ୍କ ରଖି କୃତକାର୍ଯ୍ୟ ହୋଇଛନ୍ତି । ଏଣେ କୋଲନରା ବ୍ଲକ ଭୁଜବଳ ଗ୍ରାମର ମହେଶ୍ୱର ପାଲାକା ୪୫୦ ର଼୍ୟାଙ୍କ ରଖି କୃତକାର୍ଯ୍ୟ ହୋଇଛନ୍ତି। ସେ ବର୍ତ୍ତମାନ ବ୍ରହ୍ମପୁର ସିଟି କଲେଜରେ ଅଧ୍ୟାପକ ଭାବେ କାର୍ଯ୍ୟରତ ଅଛନ୍ତି।

ଏଣେ ଜିଲା କୃଷି କାର୍ଯ୍ୟାଳୟରେ ବରିଷ୍ଠ ସହାୟକ ଭାବେ କାର୍ଯ୍ୟରତ ଅନାଦି ଚରଣ ଶବର ୬୨୨ ର଼୍ୟାଙ୍କ ରଖି କୃତକାର୍ଯ୍ୟ ହୋଇଛନ୍ତି। ତାଙ୍କ ଘର ରାମନାଗୁଡ଼ା ବ୍ଲକ ଅନ୍ତରଝୋଲି ଗ୍ରାମରେ ହୋଇଥିବା ବେଳେ ବାପା ହେଉଛନ୍ତି କେଶବ ଶବର। ସେମାନେ କୃତକାର୍ଯ୍ୟ ହେବା ପରେ ଶୁଭେଚ୍ଛାର ସୁଅ ଛୁଟିଛି।

Share