Categories: ଜାତୀୟ

ମେ ସୁଦ୍ଧା ୫-ଜି ସ୍ପେକ୍ଟ୍ରମ ନିଲାମ

ନୂଆଦିଲ୍ଲୀ,୧୨ା୧୧:ବହୁ ପ୍ରତୀକ୍ଷିତ ୫-ଜି ସ୍ପେକ୍ଟ୍ରମ ନିଲାମ ୨୦୨୨ ଏପ୍ରିଲରୁ ମେ ମାସ ମଧ୍ୟରେ ହୋଇପାରେ। ଗୁରୁବାର କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଏଠାରେ ଅନୁଷ୍ଠିତ ଟାଇମ୍ସ ନାଓ ସମିଟ୍‌ ୨୦୨୧ ଅବସରରେ ସେ କହିଛନ୍ତି, ନିଲାମ ପ୍ରକ୍ରିୟା ସମ୍ପାଦନ କରିବା ଲାଗି ଭାରତୀୟ ଟେଲିକମ ନିୟାମକ କର୍ତ୍ତୃପକ୍ଷ(ଟ୍ରାଇ) ବର୍ତ୍ତମାନ ବିଭିନ୍ନ ଦିଗ ଉପରେ ବିଚାର କରୁଛି। ୨୦୨୨ ଫେବୃୟାରୀ ସୁଦ୍ଧା ଏହା ରିପୋର୍ଟ ଦେଇପାରେ। ବେଶି ହେଲେ ରିପୋର୍ଟ ମାର୍ଚ୍ଚ ଶେଷ ସୁଦ୍ଧା ମିଳିଯାଇପାରେ। ଏହା ପରେ ନିଲାମ ପ୍ରକ୍ରିୟା ଆଗକୁ ବଢ଼ିବ।
ରିପୋର୍ଟ ନ ଆସିଲା ଯାଏ ଠିକ୍‌ ସମୟ ଅବଧି କହି ହେବ ନାହିଁ ବୋଲି ବୈଷ୍ଣବ ସ୍ପଷ୍ଟ କରିଛନ୍ତି। ଚଳିତ ବର୍ଷ ମାର୍ଚ୍ଚରେ ଶେଷ ଥର ଲାଗି ସ୍ପେକ୍ଟ୍ରମ ନିଲାମ ହୋଇଥିଲା। ଆଗାମୀ ୫ରୁ ୧୦ ବର୍ଷକୁ ନଜରରେ ରଖି ସରକାର ନିଲାମ ପ୍ରକ୍ରିୟା ସମ୍ପାଦନ କରିବେ। ଶେଷ ଥର ୮୬୫.୬ ମେଗା ହର୍ଜ ସ୍ପେକ୍ଟ୍ରମ ୭୭,୮୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟରେ ବିକ୍ରି ହୋଇଥିଲା। ଆଗାମୀ ଦିନରେ ମଧ୍ୟ ଟେଲିକମ୍‌ କ୍ଷେତ୍ରରେ ସଂସ୍କାର ପ୍ରକ୍ରିୟା ଜାରି ରହିବ ବୋଲି ବୈଷ୍ଣବ ମତ ରଖିଛନ୍ତି।
ଦେଶର ଟେଲିକମ୍‌ କ୍ଷେତ୍ରରେ ବିଶ୍ୱସ୍ତରୀୟ ନିୟାମାବଳୀ ଲାଗୁ କରିବା ଲାଗି ଲକ୍ଷ୍ୟ ରଖାଯାଇଛି। ସେପ୍ଟେମ୍ବରରେ ଏହି କ୍ଷେତ୍ରରେ ସଂସ୍କାର ପ୍ରକ୍ରିୟା ହାତକୁ ନିଆଯାଇଥିଲା। ଏହି କ୍ଷେତ୍ରରେ ନିବେଶକୁ ୨ରୁ ୪ ଗୁଣ ବୃଦ୍ଧି କରିବା ଲକ୍ଷ୍ୟ ରଖାଯାଇଛି। ଟେଲିକମ୍‌ ସେବା ଉପଲବ୍ଧ ନ ଥିବା ସ୍ଥାନରେ ସେବା ଯୋଗାଣ ଏବଂ ସେବାରେ ଗୁଣବତ୍ତାକୁ ଧ୍ୟାନରେ ରଖାଯାଇଛି। ଟେଲିକମ୍‌ କ୍ଷେତ୍ରରେ ନିବେଶ କମ୍‌ ଥିବାରୁ କଲ୍‌ ଭଳି ସମସ୍ୟା ସାମ୍ନାକୁ ଆସୁଛି। ସେହିଭଳି ବିଭିନ୍ନ ସଂସ୍କାର ପ୍ରକ୍ରିୟା ଦ୍ୱାରା ଟେଲିକମ୍‌ କ୍ଷେତ୍ରର ବିକାଶ ଲାଗି ସରକାର କାର୍ଯ୍ୟପନ୍ଥା ଗ୍ରହଣ କରୁଥିବା ବୈଷ୍ଣବ କହିଛନ୍ତି।

Share