Categories: ଜାତୀୟ

୫ ଆଞ୍ଚଳିକ ଭାଷାରେ ଉଚ୍ଚଶିକ୍ଷା

ନୂଆଦିଲ୍ଲୀ, ୩୦।୭(ପି.ଟି.):ରାଷ୍ଟ୍ର ନିର୍ମାଣ ମହାଯଜ୍ଞରେ ନୂତନ ଜାତୀୟ ଶିକ୍ଷାନୀତି (ଏନ୍‌ଇପି) ଏକ ବଡ଼ ଫ୍ୟାକ୍ଟର। ଭାରତର ସ୍ବର୍ଣ୍ଣିମ ଭବିଷ୍ୟତ ଗଠନରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ ବୋଲି ଏନ୍‌ଇପିର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଉଦ୍‌ବୋଧନ ଦେଇ କହିଛନ୍ତି। ନୂଆ ଜାତୀୟ ଶିକ୍ଷାନୀତି ମାତୃଭାଷା ଓ ଆଞ୍ଚଳିକ ଭାଷାକୁ ଗୁରୁତ୍ୱ ଦେଇଛି। ୮ ରାଜ୍ୟର ୧୪ଟି ଇଞ୍ଜିନିୟରିଂ କଲେଜ ୫ ଭାରତୀୟ ଭାଷା ହିନ୍ଦୀ, ତାମିଲ, ତେଲୁଗୁ, ମରାଠୀ ଏବଂ ବଙ୍ଗଳାରେ ଶିକ୍ଷାଦାନ ଆରମ୍ଭ କରିଥିବା ମୋଦି କହିଥିଲେ। ଏହାବ୍ୟତୀତ ଇଞ୍ଜିନିୟରିଂ ଶିକ୍ଷାକୁ ୧୧ଟି ଆଞ୍ଚଳିକ ଭାଷାରେ ଭାଷାନ୍ତର କରିବା ଲାଗି ଏକ ଉପକରଣର ବିକାଶ କରାଯାଇଛି। ଏହା ଅବହେଳିତ ଓ ପଛୁଆ ବର୍ଗ ଛାତ୍ରୀଛାତ୍ରଙ୍କ ପାଇଁ ସହାୟକ ହୋଇପାରିବ। ନୂଆ ଶିକ୍ଷାନୀତିରେ ‘ଠାର’କୁ ଭାଷାର ମାନ୍ୟତା ପ୍ରଦାନ କରାଯାଇଛି। ଛାତ୍ରୀଛାତ୍ର ଅନ୍ୟ ଭାଷା ଭଳି ଏହାକୁ ପଢ଼ିପାରିବେ। ଭିନ୍ନକ୍ଷମ ଛାତ୍ରୀଛାତ୍ରଙ୍କ ପାଇଁ ଏହା ସହାୟକ ହେବ।
ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କାର୍ଯ୍ୟକ୍ରମ ଯୁବବର୍ଗଙ୍କୁ ଭବିଷ୍ୟନ୍ମୁଖୀ କରାଇବା ସହ ଏଆଇ-ଭିତ୍ତିକ ଅର୍ଥନୀତି ପାଇଁ ବାଟ ଖୋଲିଦେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଏକାଡେମିକ୍‌ ବ୍ୟାଙ୍କ୍‌ ଅଫ୍‌ କ୍ରେଡିଟ୍‌ ଶୁଭାରମ୍ଭ କରିଛନ୍ତି। ଏହାଦ୍ୱାରା ଜଣେ ଉଚ୍ଚଶିକ୍ଷାରେ ପ୍ରବେଶ ଓ ପ୍ରସ୍ଥାନ ପାଇଁ ସ୍ବାଧୀନତା ପାଇବ। ଜଣେ ନିଜର ପାଠ୍ୟକ୍ରମ ଚୟନ କରିପାରିବ ଏବଂ ଯଦି ସେଥିରେ ଆଗ୍ରହ ନ ଆସେ ତେବେ ଯେକୌଣସି ସମୟରେ ଛାଡ଼ିପାରିବ। ଏହି ଅବସରରେ ଗ୍ରେଡ୍‌-୧ ପିଲାଙ୍କ ପାଇଁ ‘ବିଦ୍ୟା ପ୍ରବେଶ’ ନାମରେ ଏକ ୩ ମାସିଆ ଖେଳ ଭିତ୍ତିକ ସ୍କୁଲ ପ୍ରସ୍ତୁତି ମଡ୍ୟୁଲ୍‌ ଏବଂ ଶିକ୍ଷକମାନଙ୍କ ପାଇଁ ସମନ୍ବିତ ପ୍ରଶିକ୍ଷଣ ନିଷ୍ଠା ୨.୦ର ଶୁଭାରମ୍ଭ କରାଯାଇଛି। ସିବିଏସ୍‌ଇ ସ୍କୁଲ୍‌ରେ ତୃତୀୟ, ପଞ୍ଚମ ଏବଂ ଅଷ୍ଟମ ଗ୍ରେଡର ପିଲାଙ୍କ ପାଇଁ ପ୍ରତିଯୋଗିତାମୂଳକ ମୂଲ୍ୟାୟନ ଢାଞ୍ଚା ‘ସଫଲ’ ତଥା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପାଇଁ ସ୍ବତନ୍ତ୍ର ଓ୍ବେବ୍‌ସାଇଟ୍‌ ଲଞ୍ଚ ହୋଇଛି।

Share